ଲକ୍ଷ୍ନୌକୁ ଝଟ୍କା, ଆହତଜନିତ କାରଣରୁ ବାଦ୍ ପଡ଼ିଲେ ମାର୍କ ଉଡ୍
ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨ । ମାତ୍ର ଆଇପିଏଲ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଂଟକୁ ଝଟକା । ଦଳର ଷ୍ଟାର୍ ବୋଲର ମାର୍କ ଉଡ୍ ଆହତଜନିତ କାରଣରୁ ଟୁର୍ଣ୍ଣାମେଂଟରୁ ବାଦ୍ ପଡିଛନ୍ତି । ଦଳ ଇଂଲଣ଼୍ଡର ଏହି ପେସରଙ୍କୁ ୭.୫ କୋଟି ଟଙ୍କାରେ କିଣିଥିଲା । ୨୦୧୯ ବିଶ୍ୱକପ ଟିମ୍ର ସଦସ୍ୟ ଥିବା ଉଡଙ୍କ ବଦଳରେ ଆଉ କାହାରିକୁ ଦଳ ଏବେସୁଦ୍ଧା ସାମିଲ କରିନାହିଁ । ଫଳରେ ଅଧିନାୟକ କେଏଲ ରାହୁଲଙ୍କ ଚିନ୍ତା ବଢିଯାଇଛି । ଆଉ ଅଳ୍ପଦିନ ଟୁର୍ଣ୍ଣାମେଂଟ ପାଇଁ ଥିବା ବେଳେ ଲକ୍ଷ୍ନୌ ଅତିଶୀଘ୍ର ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବ । ଦଳ ପାଖରେ ଏବେ ଶ୍ରୀଲଙ୍କାର ଦୁଷ୍ମନ୍ଥା ଚମିରା, ୱେଷ୍ଟ ଇଣ୍ଡିଜର ଜାସନ ହୋଲ୍ଡର ଭଳି ବିକଳ୍ପ ରହିଛି । ସେହିପରି ଆଉ କିଛି ଖେଳାଳିଙ୍କୁ ମଧ୍ୟ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରିବା ନେଇ ବିଚାର କରିପାରେ, ଯେଉଁମାନେ ନିଲାମରେ ବିକ୍ରି ହୋଇନଥିଲେ ।
ଅଷ୍ଟ୍ରେଲିଆ ବୋଲର ଆଣ୍ଡ୍ରୁ ଟାଇ ଉଡଙ୍କ ଉଚିତ ବିକଳ୍ପ ହୋଇପାରନ୍ତି । ତାଙ୍କ ବେସ୍ ପ୍ରାଇସ ୧ କୋଟି ଥିଲା । ସେ ଏବେସୁଦ୍ଧା ୨୭ଟି ଆଇପିଏଲ ମ୍ୟାଚ୍ ଖେଳି ୪୦ ୱିକେଟ୍ ନେଇ ସାରିଛନ୍ତି । ତେବେ ତାଙ୍କୁ କୌଣସି ଫ୍ରାଂଚାଇଜ୍ କିଣି ନାହାଁନ୍ତି । ସେହିପରି ମାର୍କ ଉଡଙ୍କ ବଦଳରେ ରିଚାର୍ଡସନ୍ ମଧ୍ୟ ଭଲ ବିକଳ୍ପ ହୋଇପାରନ୍ତି । ସେ ନିଲାମିରେ ଅନସୋଲ୍ଡ ରହିଥିଲେ । ସେ ମୋଟ୍ ୧୫ଟି ଆଇପିଏଲ ମ୍ୟାଚ୍ ଖେଳି ୧୯ ୱିକେଟ୍ ନେଇ ସାରିଛନ୍ତି । ୩୧ ବର୍ଷୀୟ କେନ୍ ରିଚାର୍ଡସନ ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ୧୪୨ଟି ମ୍ୟାଚରୁ ୧୮୦ ୱିକେଟ୍ ନେଇ ସାରିଛନ୍ତି । ସେହିପରି ପାକିସ୍ତାନୀ ବଂଶୋଦ୍ଭବ ଅଲୀ ଖାନ ଆମେରିକା ତରଫରୁ ଖେଳିଥାନ୍ତି । ସେ ପୂର୍ବରୁ ଦୁଇ ଥର କୋଲକାତା ଟିମ୍ରେ ସଦସ୍ୟ ରହିଥିଲେ । ଆହୁରି ମଧ୍ୟ ସେ ଅନେକ ଫ୍ରାଂଚାଇଜି କ୍ରିକେଟ୍ ଖେଳିଛନ୍ତି । ତାଙ୍କୁ ଲକ୍ଷ୍ନୌ ଦଳରେ ସାମିଲ କରିପାରେ ।