ବଙ୍ଗୋପସାଗରରେ ଘନୀଭୂତ ହେଲା ଘୂର୍ଣ୍ଣିବଳୟ, ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
- ରାଜ୍ୟରେ ୧୫ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ
ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଲା ଘୂର୍ଣ୍ଣିବଳୟ । ସୋମବାର ରାତି ସୁଦ୍ଧା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଜ୍ରପାତ ପାଇଁ ସତର୍କ ସୂଚନା ଦିଆଯାଇଛି । ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ପାଣିପାଗ ବିଭାଗ। ପ୍ରଥମ ଲଘୁଚାପ ପ୍ରଭାବରେ ୧୦ ଯାଏ ବର୍ଷା ହେବ। ୧୧ରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ସେହିପରି ୧୩ ତାରିଖରୁ ଦ୍ବିତୀୟ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ୧୫ ତାରିଖ ଯାଏ ବର୍ଷା ଲାଗି ରହିବ । ଏ ମାସରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଲଘୁଚାପ ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୪ ତାରିଖ ରାତି ବା ୫ ତାରିଖ ସକାଳୁ ପ୍ରଥମ ଲଘୁଚାପ ହେବ । ୮ ତାରିଖରେ ଏହା ସ୍ଥଳଭାଗକୁ ଯିବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖ ଯାଏ ବର୍ଷା ହେବ । ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତର ଆଶଙ୍କା ରହିଛି । ଉତ୍ତର ଆଭ୍ୟନ୍ତରରେ ୪ରୁ ବର୍ଷା ହେବ । ଏହି ଅଞ୍ଚଳରେ କମ୍ ବର୍ଷା ହୋଇପାରେ । କିନ୍ତୁ ପ୍ରବଳ ବଜ୍ରପାତର ଆଶଙ୍କା ରହିଛି । ସେହିପରି ଦକ୍ଷିଣ ଆଭ୍ୟନ୍ତରରେ ୫ରୁ ବର୍ଷା ହେବ । ୫ ଓ ୬ରେ ଘନ ଘନ ବଜ୍ରପାତ ମାଡ଼ ହେବ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି । ପ୍ରବଳ ବର୍ଷା ହେବାର ସମ୍ଭାବନା ଥିଲେ ବି ଲଗାଣ ବର୍ଷା ହେବନି । ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ପୂରା ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ଅଛି । ୭ରେ ମଧ୍ୟ ପୂରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।
୪ରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇପାରେ । ୫ରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଭାରୀ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି ।