ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତି ଆରମ୍ଭ
ପୁରୀ : ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ତା’ର ପୂର୍ବଦିନ ଅର୍ଥାତ୍ ୮ ତାରିଖରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତମାନେ କେବଳ ଅପରାହ୍ଣ ୪ଟା ଯାଏଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ।
ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶରଧାବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସଅଳ କରାଯିବ ସେନେଇ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି ଦଇତାପତି ନିଯୋଗ । ସେହିଭଳି ୧୦ ତାରିଖ ଦିନ ସିଂହଦ୍ବାର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ସମସ୍ତ ଭକ୍ତ ଯେଭଳି ସୁନ୍ଦର ଭାବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେବାୟତମାନେ ରଥ ଉପରେ ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ । ତିନି ରଥରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଉଭୟ ପାର୍ଶ୍ବରେ ପାଇପ ବାଡ଼ ଲଗାଯିବ । ଯାହା ଫଳରେ କୌଣସି ସେବାୟତ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଠିଆ ହେବେ ନାହିଁ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ ଭାବେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବ ।