ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭା ସ୍ଥଗିତ
ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ। ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଲୋକସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ବାଚସ୍ପତି ଓମ୍ ବିର୍ଲା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନିତ୍ୟାନନ୍ଦ ମିଶ୍ର, ଗୋପାଳ ରାଓ ମାୟେକର୍ ଓ ସୁଦର୍ଶନ ରାୟ ଚୌଧୁରୀଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରୀ ବିର୍ଲା ଅଧିବେଶନ ସମୟରେ ଯାହା ସବୁ କାର୍ଯ୍ୟ ସମ୍ପାଦନ ହୋଇଛି ତାହାର ଏକ ବିବରଣୀ ପ୍ରଦାନ ଥିଲେ । ଗତକାଲି ଗୃହରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍-୨୦୨୧ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା ।
Lok Sabha has been adjourned sine die, as opposed to its scheduled date August 13. Government took the sudden decision to adjourn it; there was no discussion on important issues. It only wants to paint Opposition in bad light: Adhir Ranjan Chowdhury, Leader of Cong in Lok Sabha pic.twitter.com/NkOS5Z9Sv4
— ANI (@ANI) August 11, 2021
ପେଗାସସ୍, ଚାଷୀ ଆନ୍ଦୋଳନ, ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀ ସଂସଦର ଉଭୟ ସଦନରେ ହୋ ହାଲ୍ଲା କରିବା ପରେ ଶେଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମୌସୁମୀ ଅଧିବେଶନ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ତାରିଖର ଦୁଇଦିନ ପୂର୍ବରୁ ଲୋକସଭାକୁ ସ୍ଥଗିତ କରାଯାଇଛି । ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ଜଣାପଡିଛି । ଗତକାଲି ଉଭୟ ସଦନରେ ଓବିସି ସଂରକ୍ଷଣ ବିଲକୁ ନେଇ ବିରୋଧୀମାନେ ପ୍ରବଳ ହୋ ହାଲ୍ଲା କରିଥିଲେ । ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜି କରିବା ସହ ବାଚସ୍ପତିଙ୍କ ଉପରକୁ କାଗଜ ଟୁକୁଡା ଫିଙ୍ଗିଥିଲେ, ଯାହାକି ଭାରତୀୟ ସମ୍ବିଧାନକୁ ଅପମାନ ବୋଲି ଶାସକ ଦଳ ଅଭିଯୋଗ କରିଥିଲା । ଅନ୍ୟପକ୍ଷରେ ରାଜ୍ୟସଭାରେ ବିରୋଧୀଦଳ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଆଜି ସଭାରେ କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଗତକାଲିର କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ କିଛି ସଦସ୍ୟ ଟେବୁଲ୍ ଉପରେ ଛିଡ଼ା ହେବା ଦ୍ୱାରା ସଭା ଗୃହର ପବିତ୍ରତା କ୍ଷୁର୍ଣ୍ଣ ହୋଇଛି । ଶ୍ରୀ ନାଇଡୁ ଏହି ଘଟଣାର ନିନ୍ଦା କରିଥିଲେ । ଏହି ବିଷୟ କହିବା ସମୟରେ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଅଧ୍ୟକ୍ଷ ମନ୍ତବ୍ୟ ଦେଉଥିବା ବେଳେ ଟିଏମସି ସାଂସଦ ଡେରେକ୍ ଓ’ବ୍ରିଏନ୍ ତରବରିଆ ଭାବେ ବିଲ୍ ଉପସ୍ଥାପନ କରାଯିବା ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ । ପରେଟିଏମସି, କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟ ବିରୋଧୀଦଳ ସଦସ୍ୟମାନେ ସ୍ଲୋଗାନ ଦେବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହା ପରେ ସଭାଗୃହର ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ରାଜ୍ୟସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।