ଲୋକସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେବ ପ୍ରଚାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି ଅପରାହ୍ନ ୫ଟାରେ ଶେଷ ହେବ । ଆସନ୍ତା ଶୁକ୍ରବାର (ଏପ୍ରିଲ ୧୯)ରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ।
ତାମିଲନାଡୁର ସମସ୍ତ ୩୯ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଉତ୍ତର ପ୍ରଦେଶର ୮ଟି ଆସନ, ଉତ୍ତରାଖଣ୍ଡ ୫ ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ମଧ୍ୟ ଭୋଟ ଗ୍ରହଣ ହେବ। ସେହିପରି ରାଜସ୍ଥାନର ୧୨ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଅରୁଣାଚଳ ପ୍ରଦେଶର ଦୁଇଟି ଲୋକସଭା ଆସନ ଏବଂ ଆସାମର ପାଞ୍ଚଟି ଲୋକସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ ହେବ। ଏହାଛଡ଼ା ବିହାରର ୪ଟି ଆସନ ସହ ଛତିଶଗଡର ଗୋଟିଏ, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୫ ଏବଂ ମଣିପୁରର ଦୁଇଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ।
ପ୍ରଥମ ପର୍ଯ୍ୟାୟରେ ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ, ଆଣ୍ଡାମାନ ନିକୋବର ଏବଂ ପୁଡୁଚେରୀରେ ଦୁଇଟି ଆସନରେ ମଧ୍ୟ ଭୋଟ୍ ପଡ଼ିବ।
ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶଗଡର ମାଓ ପ୍ରଭାବିତ ବସ୍ତର ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ମାରାଥନ ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଜନସଭାରେ ଉଦବୋଧନ ଦେଇ ଅବ କି ବାର ୪୦୦ ପାର ନାରା ଦେଇଛନ୍ତି । ଆଜି ମୋଦି ଆସାମ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର କରିବେ । ଦିନ ୧୧ଟାରେ ଆସାମର ନଳବାରୀ ଓ ଦିନ ୨ଟାରେ ତ୍ରିପୁରାର ଅଗରତାଲାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ।