ଲୋକସଭା ନିର୍ବାଚନ-୨୦୨୪ : ୭ଟି ପର୍ଯ୍ୟାୟରେ ମତଦାନ, ଜୁନ ୪ରେ ରେଜଲ୍ଟ ଘୋଷଣା

ନୂଆଦିଲ୍ଲୀ : ବାଜି ସାରିଛି ୨୦୨୪ ନିର୍ବାଚନ ବିଗୁଲ । ଲୋକସଭା ଏବଂ ଚାରି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା କରିସାରିଛନ୍ତି । ସାରା ଦେଶରେ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟିଂ ହେବ । ଚଳିତଥର ମଧ୍ୟ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଦେଶରେ ଏପ୍ରିଲ ୧୯ ତାରିଖରେ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ଚାଲିବ । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ ୪ରେ ରେଜଲ୍ଟ ଘୋଷଣା ହେବ ।
ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ହେବ ଏବଂ ଏଥିରେ ମୋଟ ୧୦୨ଆସନରେ ଭୋଟିଂ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୮୯ ଆସନ ପାଇଁ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟରେ ମେ ୭ରେ ୯୪ ଆସନରେ ତମଦାନ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ୯୬ ଆସନ ପାଇଁ ଭୋଟିଂ ହେବ । ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ୪୯, ଷଷ୍ଠ ପର୍ଯ୍ୟାରେ ମେ ୨୫ରେ ୫୭ ଏବଂ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ୫୭ ଆସନ ପାଇଁ ମତଦାନ ହେବ ।
ଦେଶରେ ମୋଟ ୯୭ କୋଟିରୁ ଅଧିକ ଭୋଟର ଅଛନ୍ତି । ୧୦.୫ ଲକ୍ଷ ପୋଲିଂ ଷ୍ଟେସନ ଏବଂ ୧.୫ କୋଟି ଅଫିସିଆଲ୍ ଏହାକୁ ନିୟନ୍ତ୍ରଣ କରିବେ । ଏହାସହ ସେ ସୂଚନା ଦେଇ କହିଛନ୍ତି ଯେ ୪୮.୭ କୋଟି ପୁରୁଷ, ୪୭.୧ କୋଟି ମହିଳା, ୪୮ ହଜାର ଟ୍ରାନ୍ସ ଜେଣ୍ଡର, ୧୯.୭୪ କୋଟି ଯୁବ ବର୍ଗ ଏବଂ ୮୨ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନଙ୍କ ବୟସ ୮୫ ବର୍ଷ ଉପରେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନରେ ମୋଟ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ । ଏଥିପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯିବ ।