ଲୋକସଭା ନିର୍ବାଚନ-୨୦୨୪ : ନଜର ପକାନ୍ତୁ ଲୋକସଭା ନିର୍ବାଚନର ଇତିହାସ ଉପରେ

ଘୋଷଣା ହୋଇ ସାରିଛି ଲୋକସଭା ନିର୍ବାଚନ ତାରିଖ । ଏହା ସହିତ ଅଷ୍ଟାଦଶତମ ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏବେ ଆସନ୍ତୁ ନଜର ପକାଇବା ଭାରତରେ ଲୋକସଭା ନିର୍ବାଚନର ଇତିହାସ ଉପରେ । ୧୯୫୨ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରଠାରୁ ଦେଶରେ ସମୁଦାୟ ୧୭ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏବଂ ଅଷ୍ଟାଦଶତମ ନିର୍ବାଚନ ହେବାକୁ ଯାଉଛି। ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୫୧-୫୨ ମସିହାରେ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଲୋକସଭାର ୪୮୯ଟି ଆସନ ପାଇଁ ଭୋଟ୍ ହୋଇଥିଲା। ଏଥିରେ କଂଗ୍ରେସ ୩୬୪ଟି ଆସନ ପାଇଥିବାବେଳେ ଭାରତୀ ଜନସଂଘକୁ ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୧୯୫୧-୫୨ ମସିହାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ଏକପାଖିଆ ଜିତି ଥିବାବେଳେ ଗତ ଦୁଇଟି ନିର୍ବାଚନରେ ବିଜେପି ଏକପାଖିଆ ବିଜୟ ହାସଲ କରିଛି ।
ପ୍ରଥମ ନିର୍ବାଚନରେ କଂଗ୍ରେସ ସବୁଠୁ ବଡ ରାଜନୈତିକ ଦଳ ଭାବେ ଉଭା ହୋଇଥିଲା
ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ସର୍ବ ବୃହତ ରାଜନୈତିକ ଦଳ ଭାବରେ ଉଭା ହୋଇଥିଲା। ବାମପନ୍ଥୀମାନେ ୨୭ଟି ଆସନ, ସମାଜବାଦୀ ୧୨ ଏବଂ ଜନସଂଘକୁ ତିନିଟି ଆସନ ମିଳିଥିଲା । ପରେ ଏହି ଜନସଂଘ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇଥିଲା । ୧୯୫୭ ମସିହାରେ ୪୯୪ ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ କଂଗ୍ରେସ ଆଗରେ ରହି ୩୭୧ ଟି ସିଟ୍ ପାଇଥିଲା। ବାମପନ୍ଥୀମାନେ ୨୭ ଟି ସିଟ୍, ସମାଜବାଦୀଙ୍କୁ ୧୯ ଟି ଆସନ ଓ ଜନସଂଘକୁ ଚାରିଟି ଆସନରେ ବିଜୟ ମିଳିଥିଲା । ୧୯୬୨ ମସିହାରେ ୪୯୪ଟି ଆସନ ପାଇଁ ଅନୁଷ୍ଠିତ ତୃତୀୟ ନିର୍ବାଚନରେ କଂଗ୍ରେସ ୩୬୧ଟି, ବାମପନ୍ଥୀ ୨୯, ପ୍ରଜା ସମାଜବାଦୀ ପାର୍ଟି ୧୨ଟି ଏବଂ ଜନସଂଘ ୧୪ଟି ଆସନ ଜିତିଥିଲେ।
ପଞ୍ଚମ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ପ୍ରଭାବ ଅକ୍ଷୁର୍ଣ୍ଣ ରହିଥିଲା :
ସ୍ୱାଧିନତା ପରଠାରୁ ପଞ୍ଚମ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ସର୍ବ ବୃହତ ଦଳ ହୋଇ ରହିଥିଲା। କିନ୍ତୁ ୧୯୭୭ ମସିହା ନିର୍ବାଚନରେ ଜନତା ପାର୍ଟି ହାତରେ କଂଗ୍ରେସ ପରାସ୍ତ ହୋଇଥିଲା । ଏହି ନିର୍ବାଚନରୁ ଜନତାପାର୍ଟି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୧୫୪ଟି ଆସନ ପାଇଥିବାବେଳେ ଜନତା ପାର୍ଟି ୫୪୨ଟି ଆସନ ମଧ୍ୟରୁ ୨୯୮ଟି ଆସନ ଜିତିଥିଲା । ତେବେ ୧୯୮୦ ରେ ଅନୁଷ୍ଠିତ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସି ୩୫୩ଟି ଆସନ ଜିତିଥିଲା।
କଂଗ୍ରେସର ସୁନାମୀ :
ଇନ୍ଦିରାଙ୍କ ହତ୍ୟା ପରେ କଂଗ୍ରେସ ତା’ର ରାଜନୈତିକ ଇତିହାସର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା । ଇନ୍ଦିରା ହତ୍ୟା ପରେ ସୃଷ୍ଟ ସହାନୁଭୂତି ସୁନାମୀରେ ବିରୋଧୀ ଦଳ ଭାସି ଯାଇଥିଲେ । କଂଗ୍ରେସ ୧୯୮୪ ସାଧାରଣ ନିର୍ବାଚନରେ ୪୧୫ ଲୋକସଭା ଆସନରେ ବିଜୟ ହାସଲ କରିଥିଲା । ଏହି ନିର୍ବାଚନରେ ଜନସଂଘର ନୂଆ ଅବତାର ବିଜେପି ଭୀଷଣ ପରାଜୟର ସମ୍ମୁଖୀନ ହୋଇଥିଲା । ବିଜେପିର ଛାମୁଆଁ ନେତା ନିର୍ବାଚନ ହାରି ଯାଇଥିଲେ । ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା । ତେଲଗୁଦେଶମ ପାର୍ଟି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା ।
ଏହାପରେ ୧୯୮୯ ନିର୍ବାଚନରେ କଂଗ୍ରେସ ୧୯୭ଟି ଆସନ, ଜନତା ଦଳ ୧୪୧, ବିଜେପି ୮୬, ସିପିଏମ ୩୨, ସିପିଆଇ ୧୨ ଏବଂ ଟିଡିପି ଦୁଇଟି ଆସନ ପାଇଥିଲେ । ୧୯୯୧ରେ କଂଗ୍ରେସ ୨୩୨ ଟି ଆସନ, ବିଜେପି ୧୧୯, ଜନତା ଦଳ ୫୯, ସିପିଏମ ୩୫, ସିପିଆଇ ୧୩ ଏବଂ ଟିଡିପି ମଧ୍ୟ ୧୩ ଆସନ ପାଇଥିଲା ।
ଏକାଦଶ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ସର୍ବ ବୃହତ ଦଳ ହେଲା।
୧୯୯୬ରେ ଅନୁଷ୍ଠିତ ଏକାଦଶ ଲୋକସଭା ନିର୍ବାଚନରେ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହୋଇ ୧୬୧ଟି ସିଟ୍ ପାଇଥିଲା। କଂଗ୍ରେସ ୧୪୦ଟି ଆସନ, ଜନତା ଦଳ ୪୬, ସିପିଏମ ୩୨, ସମାଜବାଦି ପାର୍ଟି ୧୭, ଟିଡିପି ୧୬, ସିପିଆଇ ୧୨ ଏବଂ ବିଏସପି ୧୧ଟି ଆସନ ପାଇଥିଲା । ୧୯୯୮ରେ ଯେତେବେଳେ ପରବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ବିଜେପି ସବୁଠୁ ବଡ ଦଳ ଥିଲା। ୧୯୯୮ରେ ବିଜେପି ୧୮୨ଟି ଆସନ, କଂଗ୍ରେସ ୧୪୧ ଟି ଆସନ ପାଇଥିଲା । ଏଥି ସହିତ ସିପିଏମ୍ ୩୨ଟି ସିଟ୍, ଏସ୍ପି ୨୦, ଟିଡ଼ିପି ୧୨, ସିପିଆଇ ୯ ଏବଂ ବିଏସପି ୫ ଆସନ ଜିତିଥିଲା ।
ତ୍ରୟୋଦଶତମ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିର ସ୍ଥିତି ଅକ୍ଷୁର୍ଣ୍ଣ ରହିଥିଲା ଏବଂ ୧୯୯୯ ରେ ଏହା ୧୮୨ ଟି ସିଟ୍ ପାଇଥିବାବେଳେ କଂଗ୍ରେସର ଆସନ ସଂଖ୍ୟା ୧୧୪କୁ ହ୍ରାସ ପାଇଥିଲା। ୨୦୦୪ରେ କଂଗ୍ରେସର ସ୍ଥିତି ସାମାନ୍ୟ ଉନ୍ନତ ହୋଇଥିଲା ଏବଂ ଏହା ୧୪୫ଟି ସିଟ୍ ଜିତିଥିବାବେଳେ ବିଜେପି ମାତ୍ର ୧୩୮ଟି ସିଟ୍ ଜିତିପାରିଥିଲା। ୨୦୦୯ ନିର୍ବାଚନରେ କଂଗ୍ରେସ ୨୦୬ଟି ଏବଂ ବିଜେପି ୧୧୬ଟି ଆସନ ପାଇଥିଲା ।
୨୦୧୪ରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଥିଲା
୨୦୧୪ରେ ଯେତେବେଳେ ଲୋକସଭାର ୧୬ତମ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା, ସେତେବେଳେ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଧାନମନ୍ତ୍ରୀ ଭାବରେ ଆଗକୁ ଆସିଥିଲା । ସେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ । ୨୦୧୪ ନିର୍ବାଚନର ବିଜେପି ୫୪୩ଟି ମଧ୍ୟରୁ ୨୮୨ଟି ଆସନ ପାଇଥିଲା । କଂଗ୍ରେସକୁ ମାତ୍ର ୪୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଆଇଏଡିଏମକେ ୩୭ଟି ସିଟ୍ ଏବଂ ଟିଏମସି ୩୪ଟି ସିଟ୍ ଜିତିଥିଲା । | ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୩୦୩ ଆସନ ଜିତି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ୪୪ରୁ ୫୨କୁ ବୃଦ୍ଧି ପାଇଥିଲା।
ଚତୁର୍ଥ ନିର୍ବାଚନ ୧୯୬୭ ମସିହାରେ ୫୨୦ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ଆଗରେ ରହିଥିଲା କିନ୍ତୁ ଏହାର ଆସନ ତିନି ଶହରୁ କମ୍ ଥିଲା ଏବଂ ଏହା ୨୮୩ଟି ଆସନ ଜିତିଥିଲା । ଧୀରେ ଧୀରେ ଭାରତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠା କରୁଥିବା ଜନସଂଘ ୩୫ଟି ସିଟ୍ ଜିତିଥିଲା। ଏଥି ସହିତ ବାମ ଦଳଙ୍କ ମଧ୍ୟରେ ସିପିଆଇ ୨୩ଟି ସିଟ୍ ଏବଂ ସିପିଏମ୍ ୧୯ଟି ସିଟ୍ ଜିତିଥିଲା। ୧୩ଟି ଆସନରେ ପ୍ରଜା ସମାଜବାଦୀ ପ୍ରାର୍ଥୀ ଜିତିଥିଲେ। ୧୯୭୧ରେ ୫୨୮ଟି ଆସନ ପାଇଁ ଅନୁଷ୍ଠିତ ପଞ୍ଚମ ନିର୍ବାଚନରେ କଂଗ୍ରେସ ୩୫୨ ଟି ଆସନ ପାଇଥିଲା । ସିପିଏମ୍ ୨୫, ସିପିଆଇ ୨୪, ଡିଏମକେ ୨୩ ଏବଂ ଜନସଂଘ ୨୧ ଆସନ ଜିତିଥିଲା ।