ଏଲଆଇସିର ଜବରଦସ୍ତ ପ୍ଲାନ୍ ! ୪୦ ବର୍ଷ ବୟସରୁ ମିଳିବ ପେନସନ୍, ଜାଣନ୍ତୁ ଏହାର ବିଶେଷତା
ଯେତେବେଳେ ଆମେ ପେନସନ୍ ପ୍ଲାନ ବିଷୟରେ କଥା ହେଉ ତ ସମସ୍ତେ ଏହା ଭାବନ୍ତି ଯେ ଯୁବାବସ୍ଥାରେ ଟଙ୍କା ଜମା କରନ୍ତୁ ଓ ୬୦ ବର୍ଷ ବୟସ ପରେ ପେନସନ୍ ମିଳିବ । କିନ୍ତୁ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅନୁଯାୟୀ, ଥରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା ହେବା ମାତ୍ରେ ପେନସନ୍ ଆରମ୍ଭ ହୁଏ । ଯଦି ଆପଣଙ୍କୁ ଅର୍ଥର ବହୁତ ଆବଶ୍ୟକତା ଅଛି, ପ୍ଲାନ୍ ନେବାର ଏକ ବର୍ଷ ପରେ ଆପଣ ଯେକୌଣସି ସମୟରେ ଆପଣଙ୍କର ଜମା ରାଶି ପ୍ରତ୍ୟାହାର କରିପାରିବେ । ଯଦି ପଲିସି ଧାରକ ଜ୍ୱାଏଣ୍ଟ ଲାଇଫ ବିକଳ୍ପକୁ ବାଛିଛନ୍ତି ଏବଂ ମରିଯାଆନ୍ତି, ତେବେ ତାଙ୍କ ପତ୍ନୀଙ୍କୁ ଆଜୀବନ ପେନସନ୍ ରାଶି ମିଳିବ ।
ଏଲଆଇସି ସରଲ ପେନସନ୍ ଯୋଜନା ଆରମ୍ଭ କରିଛି । ଏଥିରେ ସେହି ସମସ୍ତ ବିଶେଷତା ଅଛି ଯାହା ପୂର୍ବ ଯୋଜନାରେ ନଥିଲା । ତାହା ହେଉଛି, ଆପଣ ୪୦ରୁ ୮୦ ବର୍ଷ ବୟସରେ ଯେକୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଜମା କରି ପ୍ରତ୍ୟେକ ମାସ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ପେନସନ୍ ନେଇପାରିବେ । ଏହି ପେନସନ୍ ସାରା ଜୀବନ ପାଇଁ ଉପଲବ୍ଧ ହେବ । ପ୍ରଥମଟି ଲାଇଫ୍ ଏନ୍ୟୁଟି ୱିଦ୍ ୧୦୦% ରିଟର୍ନ ଅଫ୍ ପରଚେଜ୍ ପ୍ରାଇସ୍ ସିଙ୍ଗଲ ଲାଇଫ ପାଇଁ ରହିଛି ।
ଅର୍ଥାତ୍ ଏହି ପେନସନ୍ ସ୍କିମ୍ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ଯୋଡ଼ି ହେବ । ଯେପର୍ଯ୍ୟନ୍ତ ପେନସନଧାରୀ ଜୀବିତ ଅଛନ୍ତି, ତାଙ୍କୁ ପେନସନ୍ ମିଳିବା ଜାରି ରହିବ । ଏହା ପରେ ନୋମିନି ବା ମନୋନୀତ ବ୍ୟକ୍ତିଙ୍କୁ ବେସ୍ ପ୍ରିମିୟମ୍ ମିଳିଯିବ । ଦ୍ୱିତୀୟ ପେନସନ୍ ଯୋଜନା ଜ୍ୱଏଣ୍ଟ ଲାଇଫ୍ ପାଇଁ ଦିଆଯାଉଛି । ଏଥିରେ ପତି ବା ପତ୍ନୀ ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିଥିବେ, ତାଙ୍କୁ ପେନସନ ମିଳୁଥିବ । ଯେତେବେଳେ ଉଭୟ ହିଁ ଜୀବିତ ରହିବେ ନାହିଁ, ସେତେବେଳେ ନୋମିନିଙ୍କୁ ବେସ୍ ପ୍ରାଇସ୍ ମିଳିବ । ଏହି ଯୋଜନାରେ ପଲିସି ଆରମ୍ଭ ହେବାର ୬ ମାସ ପରେ ଯେକୌଣସି ସମୟରେ ଋଣ ନେଇ ହେବ ।
ଏପରି ମିଳିବ ପେନସନ୍ :
ଯଦି ଆପଣଙ୍କ ବୟସ ୪୦ ବର୍ଷ ହୋଇଛି ଏବଂ ଆପଣ ୧୦ ଲକ୍ଷ ଟଙ୍କାର ସିଙ୍ଗଲ ପ୍ରିମିୟମ ଜମା କରିଛନ୍ତି, ତେବେ ଆପଣଙ୍କୁ ବାର୍ଷିକ ୫୦,୨୫୦ ଟଙ୍କା ମିଳିବ ଆରମ୍ଭ ହୋଇଯିବ, ଯାହା ଜୀବନ ପାଇଁ ଉପଲବ୍ଧ ହେବ । ଏହା ବ୍ୟତୀତ ଯଦି ଆପଣ ମଝିରେ ଆପଣଙ୍କ ଜମା ରାଶି ଫେରାଇ ନେବାକୁ ଚାହୁଁଛନ୍ତି କାରଣ ଆପଣଙ୍କୁ ଟଙ୍କା ଦରକାର । ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ୫ ପ୍ରତିଶତ ଛାଡ଼ି ଜମା ହୋଇଥିବା ଟଙ୍କା ଫେରସ୍ତ ମିଳିଯିବ । ଯଦି ଆପଣ ଏହି ପ୍ଲାନ୍ ନେବାକୁ ଚାହୁଁଛନ୍ତି, ତେବେ ଏଲଆଇସିର ୱେବସାଇଟ୍ କିମ୍ବା କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀ ନିଅନ୍ତୁ । ଏହି ପେନସନ୍ ପ୍ଲାନ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ନିଆଯାଇପାରେ ।