ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ବେଲ ପଣାର ପ୍ରସ୍ତୁତି ସମ୍ପର୍କରେ

ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରାରେ ଆରମ୍ଭ ହୋଇଥାଏ ନୂଆବର୍ଷ । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷୀୟ ଗଣନା ଅନୁସାରେ ମେଷ ସଂକ୍ରାନ୍ତି ହୋଇଥାଏ । ଓଡ଼ିଶାରେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୁଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ।
ଓଡ଼ିଶାର ଲୋକେ ଏହାକୁ ବେଶ୍ ଧୁମଧାମର ସହ ପାଳନ କରନ୍ତି । ଏହିଦିନ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଲୋକ ବେଲ ପଣା ପ୍ରସ୍ତୁତ କରିଥାନ୍ତି । ଆସନ୍ତୁ ଜାଣିବା ବେଲ ପଣାର ପ୍ରସ୍ତୁତି ସମ୍ପର୍କରେ…
ଆବଶ୍ୟକ ସାମଗ୍ରୀ :
ଗୋଟିଏ ବେଲ, ୪ଟି ପାଚିଲା କଦଳୀ, ଏକ କପ୍ କଟା ଆମ୍ବ ଖଣ୍ଡ , ଏକ କପ୍ ମହୁ , ଅଧ କପ ଦହି , ୨୦୦ ଗ୍ରାମ୍ ଚିନି ବା ଗୁଡ଼, ଏକ କପ୍ ଚିପୁଡ଼ା ଛେନା, ୨ଟି ଗୁଜୁରାତି, ଅଳ୍ପ କାଜୁବାଦାମ , ଏକ କପ୍ ନଡ଼ିଆ କୋରା ।
ପ୍ରସ୍ତୁତି ପ୍ରଣାଳୀ :
ପଣା ପ୍ରସ୍ତୁତି କରିବା ପାଇଁ ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ ବେଲ କୋରା, ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ଗ୍ରାଇଣ୍ଡ୍ କରି ଦିଅନ୍ତୁ ।
ତା’ପରେ ତା’କୁ ଛାଣି ଗ୍ଲାସରେ ଭର୍ତ୍ତି କରନ୍ତୁ । ତା’ଉପରେ ନଡ଼ିଆ କୋରା, କାଜୁ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ବେଲ ପଣା । ଏବେ ତାକୁ ପରସି ଦିଅନ୍ତୁ ।