ଗଣମାଧ୍ୟମ ଜନଗଣଙ୍କ ସ୍ୱର ହେଉ ‘ଦିନଚର୍ଯ୍ୟା’ ଦ୍ୱାଦଶ ସ୍ୱ-ନକ୍ଷତ୍ର ଉତ୍ସବ ପାଳିତ
ଯାଜପୁର : ଯାଜପୁରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର “ଦିନଚର୍ଯ୍ୟା”ର ଦ୍ୱାଦଶ ସ୍ୱ-ନକ୍ଷତ୍ର ଦିବସ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବର ପ୍ରଥମ ଅଧିବେସନରେ ଦିନଚର୍ଯ୍ୟାର ସମ୍ପାଦକ ତପନମହାରଣ୍ୟ ଶର୍ମା ସଭାପତିତ୍ୱ କରିଥିବା ବେଳେ ଉଦ୍ଘାଟକରୂପେ ଯାଜପୁରର ପୂର୍ବତନ ପୌରପାଳ ଯଯାତି କେଶରୀ ଦାସ ଯୋଗଦେଇ ଗଣମାଧ୍ୟମ ସାଧାରଣ ଜନତାଙ୍କର ସ୍ୱର ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବରେ ଉତ୍କଳ ମେଲ୍ର ସମ୍ପାଦକ ପୀତବାସ ମିଶ୍ର ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର କିଭଳି ଘାତ ପ୍ରତିଘାତ ଭିତରେ ପ୍ରକାଶିତ ହେଉଅଛି ତାହା ଉପରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ଭାଗବତପ୍ରସାଦ ତ୍ରିପାଠୀ, ସାରସ୍ୱତ ସାଧକ ଡଃ ରୁଦ୍ରନାରାୟଣ ପୃଷ୍ଟି, ଯଜ୍ଞପ୍ରଭାର ସମ୍ପାଦକ ପଣ୍ଡିତ ଭୂପତିଭୂଷଣ ମିଶ୍ର, ଯାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ଯାଜପୁର ଉପ-ପୌରପାଳ ସନ୍ତୋଷ କୁମାର ମଲ୍ଲିକ ଏବଂ ଦୈନିକ ସମ୍ବାଦପତ୍ର ବିଶ୍ୱବାଣୀର ଅର୍ଜ୍ଜୁନ ମୁଦୁଲି ଯୋଗଦେଇ ସମ୍ବାଦପତ୍ର ଓ ସାମ୍ବାଦିକତା ସମ୍ପର୍କରେ ବିଭିନ୍ନ ମତପୋଷଣ କରିଥିଲେ । ଏହି ଅବସରରେ ଦିନଚର୍ଯ୍ୟାର ଜନ୍ମ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ମଧ୍ୟାହ୍ନ ବିରତି ସମୟରେ ଯାଜପୁରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଗଣେଶ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାନ୍ଧ୍ୟ ଅଧିବେସନରେ ମୁଖ୍ୟ ଅତିଥିରୂପେ ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ଯୋଗଦେଇ ସମ୍ବାଦପତ୍ର ପ୍ରକାଶ କରିବା ଏକ କଠିନ କାର୍ଯ୍ୟ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଗଣତନ୍ତ୍ରର ଚାରିଗୋଟି ସ୍ତମ୍ବ ମଧ୍ୟରୁ ଚତୁର୍ଥ ସ୍ତମ୍ବ ରୂପେ ଗଣମାଧ୍ୟମକୁ କୁହାଯାଇଥିଲେ ହେଁ ବାସ୍ତବ ପକ୍ଷରେ ସରକାର ତାଙ୍କୁ କାହିଁକି ସ୍ୱୀକୃତି ଦେଉନାହାନ୍ତି ବୋଲି ତାଙ୍କ ବକ୍ତବ୍ୟ କହିଥିଲେ । ସମ୍ମାନିତ ଅତିଥିରୂପେ ସାରସ୍ୱତ ସାଧକ ତଥା ନାଟ୍ୟକାର ବ୍ରଜ ନାୟ. ଡଃ ରାଜକିଶୋର ପଣ୍ଡା, ରାଜନୈତିକ ନେତ୍ରୀ ଦିପ୍ତିରେଖା ମିଶ୍ର, ନାଥସାହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଦାଶ ଯୋଗଦେଇ ଗଣମାଧ୍ୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ କାଶିନାଥ ବାରିକ, ପ୍ରମିଳା ରାଉତ, ସମରଜିତ ମହାନ୍ତି, ଅଜୟ ରାଉତ, ଦିଲ୍ଲୀ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅଧିବେସନରେ ଶିକ୍ଷାବିତ କାମେଶ୍ୱର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ତରଣୀ ମହାରଣ୍ୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଯାଜପୁରର ସାଂସ୍କୃତିକ ଅନୁଷ୍ଠା ଆହ୍ୱାନ ପକ୍ଷରୁ ସାମ୍ବାଦିକ ଜୀବନ ଦାସ ରୂପକ ଏକ ନାଟକ ପରିବେଷଣ କରିଥିଲେ । ଯାଜପୁର ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକୁ ପଞ୍ଚାନନ ପାଣି ଜ୍ୟୋତିଶଙ୍କର ରାୟ, ନରହରି ସାହୁ, ପ୍ରଶାନ୍ତ ସାହୁ, ଇଚ୍ଛାମୟୀ ଧଳ, ପ୍ରମୁଖ ସହଯୋଗ କରିଥିଲେ ।