ଲିଜେଣ୍ଡ୍ସ ଲିଗ୍ କ୍ରିକେଟ : ମନିପାଲ ଟାଇଗର୍ସକୁ ୨ ୱିକେଟରେ ହରାଇଲା ଭିଲୱାରା କିଙ୍ଗ୍ସ
ଲକ୍ଷ୍ନୌ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ମ୍ୟାଚ୍ରେ ହରଭଜନ ସିଂହଙ୍କୁ ହରାଇଛନ୍ତି ଇରଫାନ ପଠାନ। ଲକ୍ଷ୍ନୌରେ ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍ରେ ପଠାନଙ୍କ ଭିଲୱାରା କିଙ୍ଗ୍ସ ୨ ୱିକେଟରେ ଭଜିଙ୍କ ମନିପାଲ ଟାଇଗର୍ସକୁ ହରାଇ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମନିପାଲ ଟାଇଗର୍ସ ବର୍ଷା ଯୋଗୁ ୧୭ ଓଭରରେ ୬ ୱିକେଟ ହରାଇ ୧୩୬ ରନ କରିଥିଲା। ବର୍ଷା ମନିପାଲ ରାସ୍ତାରେ କଣ୍ଟା ସାଜିବାରୁ ଭିଲୱାରା କିଙ୍ଗ୍ସକୁ ଡିଏଲ ମେଥଡ ଦ୍ୱାରା ୧୫୪ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ୨ ବଲ ପୂର୍ବରୁ ୭ ୱିକାଟ ହରାଇ ହାସଲ କରି ନେଇଛି।
ପ୍ରଥମେ ବ୍ୟାଟିଂ କରୁଥିବା ମନିପାଲ ଟାଇଗର୍ସ ଆରମ୍ଭାରୁ ଫିଡେଲ ଏଡୱାର୍ଡସଙ୍କ ଘାତକ ବୋଲିଂ ଯୋଗୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଡୱାର୍ଡସ ୪ ଓଭରରେ ୩୦ ରନ ଦେଇ ୪ ୱିକେଟ ଦଖଲ କରିବାରୁ ମନିପାଲ ବଡ଼ ସ୍କୋର କରିପାରି ନଥିଲା। ଦଳ ପକ୍ଷରୁ ମହମ୍ମଦ କୈଫ ସର୍ବାଧିକ ୭୩ ରନ କରିଥିବା ବେଳେ ପ୍ରଦୀପ ସାହୁ ୩୦ ଓ ଶେଷ ଭାଗରେ ଶିବକ୍ତାନ୍ତ ଶୁକ୍ଳା ଅପରାଜିତ ୧୬ ରନ କରିଥିଲେ। ଦଳର ଦୁଇ ଷ୍ଟାର କ୍ରିକେଟର କୋରୀ ଆଣ୍ଡରସନ ଓ ରିକାର୍ଡୋ ପାୱେଲ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଆଣ୍ଡରସନ ଖାତା ଖୋଲିବା ପୂର୍ବରୁ ଏଡୱାର୍ଡସଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପାୱେଲ ମଧ୍ୟ ୩ ରନ କରି ଏଡୱାର୍ଡସଙ୍କ ଶିକାର ବନିଥିଲେ। ପ୍ରଦୀପ ସାହୁ (୩୦)ଙ୍କ ୱିକେଟ ଏସ୍ ଶ୍ରୀସନ୍ତଙ୍କ ଖାତାକୁ ଯାଇଛି। ଇରଫାନ ପଠାନ ରବିକାନ୍ତ ଶୁକ୍ଳାଙ୍କୁ ୧ ରନରେ ଆରମ୍ଭରୁ ପ୍ୟାଭିଲିୟନ ପଠାଇ ଦେଇଥିଲା। ମନିପାଲ ୧୭ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୩୬ ରନ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଦଳକୁ ଆଉ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନଥିଲା। ବର୍ଷା ଛାଡ଼ିବା ପରେ ଭିଲୱାରା କିଙ୍ଗ୍ସ ଇନିଂସ ଆରମ୍ଭ କରିଥିଲା ଓ ଦଳକୁ ୧୫୪ ରନର ଟାର୍ଗେଟ ମିଳିଥିଲା। ୧୫୪ ରନର ଟାର୍ଗେଟକୁ ପିଛା କରୁଥିବା ଭିଲୱାରା କିଙ୍ଗ୍ସ ପକ୍ଷରୁ ୟୁସୁଫ ପଠାନ ୨୮ ବଲରେ ସର୍ବାଧିକ ୪୪ ରନ କରିଥିବା ବେଳେ ତନ୍ମୟ ଶ୍ରୀବାସ୍ତବ ୨୮, ରାଜେଶ ବିଷ୍ଣୋଇ ୧୩ ଓ ଇରଫାନ ପଠାନ ୧୫ ରନର ଇନିଂସ ଖେଳିଛନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୨ ରନ ଦରକାର ଥିବା ବେଳେ ଟିନୋ ବେଷ୍ଟ ଦମଦାର ବ୍ୟାଟିଂ କରି ୨ ବଲ ପୂର୍ବରୁ ଦଳ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ସେ ଶେଷ ଯାଏ ୭ ବଲରେ ୧୫ ରନ କରି ଅପରାଜିତ ରହିଥିଲେ। ତାଙ୍କ ସହ ମ୍ୟାଟ ପ୍ରିଓର ଥିଲେ। ସେ କେବଳ ଗୋଟିଏ ବଲର ସମ୍ମୁଖୀନ ହୋଇ ୧ ରନ କରିଥିଲେ। ଦମଦାର ବୋଲିଂ ପାଇଁ ଭିଲୱାରା କିଙ୍ଗ୍ସର ଏଡୱାର୍ଡସଙ୍କୁ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।