ଲିଜେଣ୍ଡ୍ସ ଲିଗ୍ କ୍ରିକେଟ : ମଣିପାଲ ଟାଇଗର୍ସକୁ ହରାଇ କ୍ବାଲିଫାୟର୍ରେ ଇଣ୍ଡିଆ କ୍ୟାପିଟାଲ୍ସ
କଟକ : କଟକ ବାରବାଟୀ ଷ୍ଟାଡିୟମରେ ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ୭ ୱିକେଟ୍ରେ ହରଭଜନ ସିଂହଙ୍କ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି। ଟାଇଗର୍ସର ୧୬୧/୫ ଜବାବରେ କ୍ୟାପିଟାଲ୍ସ ୧୭.୨ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଏହି ବିଜୟ ବଳରେ ଇଣ୍ଡିଆ କ୍ୟାପିଟାଲ୍ସ କ୍ବାଲିଫାୟର ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଆସନ୍ତା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କ୍ବାଲିଫାୟର ଖେଳାଯିବ। ଇଣ୍ଡିଆ କ୍ୟାପିଟାଲ୍ସ ୫ ମ୍ୟାଚ୍ରୁ ୩ ବିଜୟ ସହ ମୋଟ ୭ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।
ବାରବାଟୀ ଏଲ୍ଏଲ୍ସିର ଏହି ଶେଷ ଲିଗ୍ ମ୍ୟାଚ୍ରେ ଗମ୍ଭୀର ଟସ୍ ଜିତି ବୋଲିଂ ନେଇଥିଲେ। ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରି ମିଚେଲ୍ ଜନସନ୍ ପଞ୍ଚମ ଓଭରରେ ତାତେନ୍ଦା ତାଇବୁ (୫)ଙ୍କ ରୂପରେ ପ୍ରଥମ ସଫଳତା ଦେଇଥିଲେ। ହେଲେ ଏହାପରଠୁ ଜେସି ରାଇଡ଼ର ଓ ମହମ୍ମଦ କୈଫ ଇଣ୍ଡିଆ କ୍ୟାପିଟାଲ୍ସ ବୋଲଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ୧୯ ଓଭର ପର୍ଯ୍ୟନ୍ତ ଦୁହେଁ ବ୍ୟାଟିଂ କରି ପ୍ରଥମ ୱିକେଟ୍ରେ ୧୨୬ ରନ୍ ଯୋଡ଼ିଥିଲେ। ରାଇଡ଼ର ୭୯ ଓ କୈଫ ୬୭ ରନ୍ କରି ଆଉଟ ହେବା ବେଳକୁ ମଣିପାଲ ଟାଇଗର୍ସ ଦଳ ଦୃଢ ସ୍ଥିତିରେ ପହଞ୍ଚି ଯାଇଥିଲା। ଲିଆମ ପ୍ଲଙ୍କିଟ୍ ୨, ରଜତ ଭାଟିଆ ୨ ୱିକେଟ ନେଇଥିଲେ। ଜବାବରେ କ୍ୟାପିଟାଲ୍ସ ଅଧିନାୟକ ଗମ୍ଭୀର (୧୫)ଙ୍କୁ ସଅଳ ହରାଇଥିଲା। ତେବେ ହାମିଲଟନ୍ ମାସକଜାଦା (୬୮), ରସ୍ ଟେଲର (୨୯) ଟାଇଗର୍ସ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଉଭୟ ତୃତୀୟ ୱିକେଟରେ ୮୬ ରନ୍ ଯୋଡ଼ି ଦଳକୁ ବିଜୟର ନିକଟତର କରାଇଥିଲେ। ଟେଲରଙ୍କ ପରେ ଆସ୍ଲେ ନର୍ସ (୨୧) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ।
ସୂଚନା ଯେ, ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ଟି-୨୦ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ୍ ମ୍ୟାଚ୍ ଜୟପୁରକୁ ସ୍ଥାନାନ୍ତରିତ ହୋଇଛି। ପୂର୍ବରୁ ଏହି ମ୍ୟାଚ୍ କଟକରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ଦଶହରା ଦିନ ଫାଇନାଲ୍ ପଡୁଥିବାରୁ ସୁରକ୍ଷା ବ୍ୟବସ୍ଥାରେ ସମସ୍ୟା ହେବ ବୋଲି ଆୟୋଜକଙ୍କୁ ଜଣାଇ ଦିଆଯାଇଥିଲା। ତଥାପି ଶେଷ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଡିସିପିଙ୍କ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇନଥିଲା। ଫଳରେ ଫାଇନାଲ୍ ଜୟପୁରରେ ହେବ। ଅନ୍ୟପକ୍ଷରେ କ୍ବାଲିଫାୟର ଏବଂ ଏଲିମିନେଟର ମ୍ୟାଚ୍ ଯୋଧପୁରରେ ଖେଳାଯିବକୁ ନିଷ୍ପତ୍ତି ନିଆଯାଇଛି।