ବାଲେଶ୍ୱର : ପେଟ୍ରୋଲ୍-ଡିଜେଲ୍ ଦରବୃଦ୍ଧି ବିରୋଧରେ ବାମପନ୍ଥୀମାନଙ୍କ ବିକ୍ଷୋଭ ପ୍ରତିବାଦ
ବାଲେଶ୍ୱର: ପେଟ୍ରୋଲ୍, ଡିଜେଲ୍, ଜାଳେଣି ଗ୍ୟାସ୍ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧିର ପ୍ରତିବାଦରେ ମଙ୍ଗଳବାର ସିପିଆଇ, ସିପିଆଇ(ଏମ୍) ଓ ଫରୱାଡ଼୍ ବ୍ଲକ୍ ସଦସ୍ୟମାନେ ବାଲେଶ୍ୱର ସହର ସ୍ଥାନୀୟ ବିଚାରଗଞ୍ଜ ଛକ ନିକଟରେ ବିକ୍ଷୋଭ ପ୍ରତିବାଦ କରିଥିଲେ । ଗତ ୧୬ ତାରିଖ ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାମପନ୍ଥୀ ଦଳମାନେ ଦେଶବ୍ୟାପୀ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ କରୁଛନ୍ତି । ବିକ୍ଷୋଭ ସ୍ଥଳରେ ବର୍ଷିୟାନ୍ କମ୍ୟୁନିଷ୍ଟ୍ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ୍)ର ଜିଲା ସମ୍ପାଦକ ଶିଶିର ହୁଇ, ସିପିଆଇର ନାରୀ ନେତ୍ରୀ ବନ୍ଦନା ବିଶ୍ୱାସ, ଫରୱାର୍ଡ଼ ବ୍ଲକ୍ ତରଫରୁ ସର୍ବେଶ୍ୱର ମିଶ୍ର, ସିପିଆଇ(ଏମ୍)ର ରାଜ୍ୟ ନେତା ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ଅସୀତ୍ ବରଣ ଦାସ, ଭରତ ସେଠୀ ଓ ନିକୁଞ୍ଜ ବସନ୍ତ ରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ପେଟ୍ରୋଲ୍, ଡିଜେଲ୍ ଦର ଆନ୍ତର୍ଜାତିକ ସ୍ତରରେ ହ୍ରାସ ପାଉଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅହେତୁକ ଟିକସ ବୃଦ୍ଧିପାଇଁ ଦରବୃଦ୍ଧି ହେଉଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।
ଭାଜପାର ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଏହି ତୈଳଦର ବୃଦ୍ଧି ହେଉଛି । ସେହିପରି ୧୯୫୫ ମସିହାରୁ ପ୍ରଚଳିତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉପରେ ଥିବା ନିୟନ୍ତ୍ରଣ ଆଇନକୁ ମୋଦୀ ସରକାର ଉଠାଇ ଦେବାରୁ କଳା ବଜାରୀ ଓ ମହଜୁଦକାରୀ ଡାଲି, ଖାଇବା ତେଲ ଓ ଔଷଧ ପ୍ରଭୃତିର ଆକାଶଛୁଆଁ ଦରବୃଦ୍ଧି କରୁଛନ୍ତି । ଜାଳେଣି ଗ୍ୟାସ୍ ସିଲିଣ୍ଡର ହଜାରେ ଟଙ୍କାରେ ପହଞ୍ôଚଲାଣି ବୋଲି ସେମାନେ ଅଭିଯୋଗ କରିଥିଲେ । କରୋନା ମହାମାରୀ ସମୟରେ ପ୍ରତିବାଦ, ଆନ୍ଦୋଳନ ଓ ବିକ୍ଷୋଭ ଉପରେ ଅଙ୍କୁଶ ଲଗାଯାଇଥିବାରୁ ଏହା ସରକାରଙ୍କୁ ଏକ ସୁଯୋଗ ଆଣିଦେଇଛି । ମହାମାରୀ କାରଣରୁ ଲକ୍ଡାଉନ୍, ସଟ୍ଡାଉନ୍ ପ୍ରଭୃତି ବଳବତ୍ତର ଥିବାରୁ ସମସ୍ତ ପରିବାରରେ ରୋଜଗାର ହ୍ରାସ ପାଇଥିବାବେଳେ ଦରବୃଦ୍ଧି ଜନଗଣଙ୍କୁ ଅତିଷ୍ଠ କରିଛି । ତେଣୁ ତୈଳଦର ଉପରେ ଟିକସ ହ୍ରାସ କରିବା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, କଳାବଜାରୀ ଓ ମହଜୁଦ୍କାରୀଙ୍କୁ ଗିରଫ କରିବା, ପ୍ରତିପରିବାରକୁ ମାସିକ ମୁଣ୍ଡପିଛା ୧୦କିଲୋ ଚାଉଳ କିମ୍ବା ଗହମ ମାଗଣାରେ ଦେବା, ଆୟକର ଦେଉନଥିବା ପରିବାରଙ୍କୁ ଆସନ୍ତା ଛଅମାସ ପାଇଁ ମାସିକ ୭୫୦୦ଟଙ୍କା ସହାୟତା ଦେବା, କଳା କୃଷି ଆଇନକୁ ପ୍ରତ୍ୟାହାର କରିବା, ବନ୍ଦ କଳକାରଖାନାଗୁଡ଼ିକୁ ଚାଲୁକରିବା ଓ ଟିକାକରଣରେ ସ୍ୱଚ୍ଛତା ଓ ବ୍ୟାପକତା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ । ବିକ୍ଷୋଭ ସମାବେଶରେ ସୁଶାନ୍ତ ନାୟକ, ସୁଶାନ୍ତ ଜେନା, ଉମାକାନ୍ତ ଜେନା, ବିଜୟ ଲକ୍ଷ୍ମୀ ପତି, ହେମପ୍ରିୟା ବାରିକ, ଶଶିକାନ୍ତ ବେହେରା ଓ ମନ୍ମଥ ପରିଡ଼ା ପ୍ରମୁଖ ନେତୃତ୍ୱ ନେଇଥିଲେ । ପ୍ରେମରଂଜନ ପାତ୍ର ଧନ୍ୟବାଦ ଦେଇଥିଲେ ।