ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ
୧୭୩୦ ଏଏସ୍ଆଇ ଓ ଏସ୍ଆଇ ପଦବୀ ପୂରଣ ହେବ
ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । ମାଓବାଦୀ କାର୍ଯ୍ୟକଳାପ କମିଛି । ପୁଲିସ ବିଭାଗର ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି ।
ଗତବର୍ଷ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି । ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି । ଟ୍ରାନ୍ସଜେଣ୍ଡର ମାନଙ୍କୁ ଏସ୍ଆଇ ପଦବିରେ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ୧୭୩୦ ଏଏସ୍ଆଇ ଓ ଏସ୍ଆଇ ପଦବି ପୂରଣ ହେବ । ଏଥି ପାଇଁ ପ୍ରକ୍ରିୟା ଚାଲିଛି । ସେହିଭଳି ରାଜ୍ୟର ସବୁ ପୁଲିସ ଷ୍ଟେସନରେ ସିସିଟିଭି ଲାଗିବ । ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଖଞ୍ଜାଯାଇ ସାରିଛି । ପୁଲିସ ଥାନାଗୁଡ଼ିକୁ ‘ମୋ ସରକାର’ ସହିତ ଯୋଡ଼ାଯାଇଛି । ପଂଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି । ସେହିପରି ପୁରୀରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ୨ ବର୍ଷ ପରେ ସାଧାରଣ ଭକ୍ତି ପୁରୀ ରଥଯାତ୍ରାରେ ସାମିଲ ହୋଇଥିଲେ । ବ୍ୟାପକ ପୁଲିସ ମୁତୟନ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି । ବୁଧବାର ଗୃହରେ ସ୍ୱରାଷ୍ଟ୍ର ବିଭାଗର ୬୨୪୧,୨୦,୯୬୦୦୦ ଟଙ୍କାର ଖର୍ଚ୍ଚଦାବି ଗୃହିତ ହୋଇଛି ।