ମାଲେସିଆରେ ଭୂସ୍ଖଳନ : ୧୨ ମୃତ, ୨୨ ନିଖୋଜ
କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି । ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା । ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ । ଉକ୍ତ କ୍ୟାମ୍ପ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି । ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ । ତେଣୁ ପ୍ରାୟ ୯୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ । ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ଦେଇଥିବା ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁ ପ୍ରାୟ ୯୦ ଜଣ ମାଟି ତଳେ ପୋତି ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫୯ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି । ୨୨ ଜଣ ଏବେ ବି ନିଖୋଜ ରହିଛନ୍ତି । ୧୨ ଜଣ ପ୍ରାଣ ହରାଇଥିବା ବେଳେ ଉଦ୍ଧାର ହୋଇଥିବା ୮ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଜିଲ୍ଲା ପୁଲିସ୍ ମୁଖ୍ୟ ସୁଫିଆନ ଅବଦୁଲ୍ଲା କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସିର ୪୦୦ ଲୋକଙ୍କୁ ସାମିଲ କରାଯାଇଛି । ଆମର ଆଶା ଖୁବଶୀଘ୍ର ନିଖୋଜ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ପ୍ରଶାସନିକ ଅଧିକାରୀ ନୋରାଜମ ଖାମିସ କହିଛନ୍ତି, କ୍ୟାମ୍ପ ହୋଇଥିବା ସ୍ଥାନର ୧୦୦ ଫୁଟ ଉପରୁ ମାଟି ଅତଡ଼ା ଧସିଥିଲା । ପ୍ରାୟ ୧ ଏକର ପରିଧି ମଧ୍ୟରେ ମାଟି ଅତଡ଼ା ଖସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଥିବା ସେ କହିଛନ୍ତି । ବର୍ଷକ ତଳେ ଅବିଶ୍ରାନ୍ତ ବର୍ଷା ଓ ଭୂସ୍ଖଳନ ଯୋଗୁ ୭ ରାଜ୍ୟର ୨୧ ହଜାର ଲୋକ ବିସ୍ଥାପିତ ହୋଇଥିଲେ । ଉକ୍ତ ସେଲାନଗୋର ଅଂଚଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ପାହାଡ଼ ଠାରୁ ଆରମ୍ଭ କରି ସୁଉଚ୍ଚ ସ୍ଥାନ ସବୁ ରହିଛି । ତେଣୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି । ସୁନ୍ଦର ପରିବେଶର ମଜା ନେବାକୁ ଅନେକ ଲୋକ କ୍ୟାମ୍ପରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ କ୍ୟାମ୍ପରେ ରହିଥିବା ଲୋକ ଏବେ ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛନ୍ତି ।