ଚନ୍ଦ୍ରର ନୂଆ ଫଟୋ ଛାଡ଼ିଲା ଲ୍ୟାଣ୍ଡର ବିକ୍ରମ, ଅବତରଣ ପାଇଁ ଖୋଜୁଛି ସୁରକ୍ଷିତ ସ୍ଥାନ
ବେଙ୍ଗାଲୁରୁ : ଅବତରଣ ପୂର୍ବରୁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠର କିଛି ନୂଆ ଫଟୋ ଉତ୍ତୋଳନ କରିଛି । ସଫ୍ଟ ଲ୍ୟାଣ୍ଡିଂ ବା ଧୀରାବତରଣ ପାଇଁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନ ସନ୍ଧାନ କରୁଛି ଲ୍ୟାଣ୍ଡର ‘ବିକ୍ରମ’ । ଲ୍ୟାଣ୍ଡର ପଠାଇଥିବା ଚନ୍ଦ୍ରପୃଷ୍ଠର ସଦ୍ୟତମ ଫଟୋ ଗୁଡ଼ିକୁ ସୋମବାର ଇସ୍ରୋ ତରଫରୁ ଜାରି କରାଯାଇଛି ।
ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛି, “ଏଗୁଡ଼ିକ ହେଉଛି ଚନ୍ଦ୍ରର ଦୂରବର୍ତ୍ତୀ ଅଞ୍ଚଳର ଫଟୋ, ଯାହା ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ୍ ଏଭୋଡାନ୍ସ କ୍ୟାମେରା (LHDAC) ଦ୍ୱାରା ଉତ୍ତୋଳନ କରାଯାଇଛି । ଏହି କ୍ୟାମେରା ଚନ୍ଦ୍ର ପୃଷ୍ଠରେ ନିରାପଦ ଅବତରଣ ସ୍ଥାନ ଖୋଜିବାରେ ସହାୟତା କରେ, ଅର୍ଥାତ୍ ଏହା ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରେ ଯେଉଁଠାରେ ପଥର କିମ୍ବା ଗଭୀର ଖାଲ ନାହିଁ ।
Chandrayaan-3 Mission:
— ISRO (@isro) August 21, 2023
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).
This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
ଆଉ ଦିନକ ପରେ ଇତିହାସ ରଚିବ ଭାରତ । ଇସ୍ରୋ ନିଜ ମିଶନରେ ସଫଳ ହେବ । ଆସନ୍ତା ଅଗଷ୍ଟ ୨୩ ତାରିଖ ସଂଧ୍ୟା ପ୍ରାୟ ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ । ଜୁଲାଇ ୧୪ ତାରିଖରେ ମିଶନ ମୁନକୁ ଲଞ୍ଚ କରିଥିଲା ଇସ୍ରୋ । ଏହା ଗତ ୫ ଅଗଷ୍ଟରେ ଚନ୍ଦ୍ର କକ୍ଷପଥକୁ ପ୍ରବେଶ କରିଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ରୋଭରରେ ଥିବା ଏଲ୍ଆଇବିଏସ୍ ବା ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରର ମାଟି ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ । ସେହିଭଳି ଲ୍ୟାଣ୍ଡର ଚନ୍ଦ୍ରର ତାପମାତ୍ରା, ଭୂମିକମ୍ପ ଏବଂ ଚନ୍ଦ୍ରର ଉପର ଓ ଭିତର ଅଂଶ କିଭଳି ଗଠିତ ହୋଇଛି ତାର ଅଧ୍ୟୟନ କରିବ । ଏଥିରେ ଇସ୍ରୋ ସଫଳ ହେଲେ ଆମେରିକା, ଋଷ ଓ ଚୀନ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଇତିହାସ ରଚିବ ।
ସୂଚନା ଯେ, ଚନ୍ଦ୍ରଯାନ-୩ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଯାତ୍ରା ଆରମ୍ଭ କରିଥିଲା। ୪୦ ଦିନର ଦୀର୍ଘ ଯାତ୍ରା ପରେ ଏହା ଏବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଉଦ୍ୟମ କରିବ । ରୁଷର ଚନ୍ଦ୍ର ମିଶନ ବିଫଳ ହୋଇଥିବା ବେଳେ ଏବେ ଭାରତର ଏହି ମୁନ୍ ମିଶନ ଉପରେ ସମସ୍ତଙ୍କ ନଜର ରହିଛି । ରୁଷ ଲଞ୍ଚ କରିଥିବା ଲୁନା-୨୫ ଯାନ ଚନ୍ଦ୍ରପୃଷ୍ଠରେ ରବିବାର ପିଟି ନଷ୍ଟ ହୋଇଯାଇଥିଲା। ଏପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ କୌଣସି ଦେଶ ସଫ୍ଟ ଲ୍ୟାଣ୍ଡିଂ କରିପାରି ନାହାଁନ୍ତି । ଏହାପୂର୍ବରୁ ଇସ୍ରୋକୁ ମଧ୍ୟ ଚନ୍ଦ୍ର ମିଶନରେ ଦୁଇଥର ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରର ଦକ୍ଷିଣ ମେରୁରେ କ୍ରାସ୍ ହୋଇଯାଇଥିଲା। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ଠିକ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।