କଷାଫଳ ବାରୁଣୀ ମେଳାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ କଷାଫଳ ବାରୁଣୀ ମେଳା ରବିବାର ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି । କଷାଫଳ ନିକଟ ସମୁଦ୍ରରେ ସୂର୍ଯ୍ୟୋଦୟ ପୂର୍ବରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ପୁଣ୍ୟ ଅର୍ଜ୍ଜନ କରିଥିଲେ । ଏହାପରେ ସ୍ଥାନୀୟ ଜଗନ୍ନାଥ ଓ ସାରଙ୍ଗଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ ।
ଖୋଳ, ଝାଞ୍ଜର ତାଳେ ତାଳେ ହରିନାମ ସଂକୀର୍ତ୍ତନ ବେଳାଭୂମି ପରିବେଶକୁ ଭକ୍ତି ଭାବନାରେ ବାନ୍ଧି ରଖିଥିଲା । ବାଲେଶ୍ୱର, ମୟୁରଭଞ୍ଜ ଜିଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗରୁ ବହୁ ଶ୍ରଦ୍ଧାଳୁ ପବିତ୍ର ବାରୁଣୀ ବୁଡ଼ରେ ସାମିଲ ହୋଇଥିଲେ । ସମୁଦ୍ର ବେଳାଭୂମିରେ ବିଭିନ୍ନ ପ୍ରକାର ଉଠା ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିଥିଲା । ସ୍ନାନ ପରେ ପୂଜାର୍ଚ୍ଚନା ସାରି ମହିଳା, ପୁରୁଷ ମାନେ ବେଳାଭୂମିରେ ମୁଢ଼ି ଆଳୁଦମ୍, ଦହିବରା, ଚାଟ, ଗୁପ୍ଚୁପ୍ ଖାଇ ମଜା ଉଠାଇଥିବା ଦେଖିବାକୁ ମିଳିଥିଲା । ମେଘୁଆ ପାଗ ସତ୍ତ୍ୱେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚ ଜୟନ୍ତୀ ଆଦିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳକୁ ବାରୁଣୀ ସ୍ନାନ କମିଟିର କର୍ମକର୍ତ୍ତା ପରିଚାଳନା କରିଥିଲେ ।