କୁଲଗାମ ଏନକାଉଣ୍ଟର : ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ତିନି ସେନା ଯବାନ ସହିଦ୍ ହୋଇଛନ୍ତି । ଏହି ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦର ପ୍ରକ୍ସି ପିଏଏଫଏଫ ଗ୍ରୁପ ରହିଛି ବୋଲି ସୂଚନା ମିଳିଛି ।
ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନେ ଶୁକ୍ରବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ହାଲାନ ବନାଞ୍ଚଳରେ ଘେରାବନ୍ଦୀ ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚାଳନା କରିଥିଲେ । ସୁରକ୍ଷା ବାହିନୀ ଏହାର ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ତିନି ସେନା ଯବାନ ଆହତ ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଯେ, ଆତଙ୍କବାଦୀ ଆସି କୁଲଗାମ ଜିଲାର ଏକ ଜଙ୍ଗଲରେ ଲୁଚି ରହିଥିଲେ । ସୂଚନା ପାଇଁ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀ ଯବାନଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ । ଏହି ସମୟରେ ୩ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ସେଠାରେ ଜୀବନ ହାରିଥିଲେ ଯବାନ । ଅନ୍ୟପଟେ ଏହି ଘଟଣା ପରେ ଲୁଚି ରହି ଗୁଳି ବିନିମୟ କରୁଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ଏହା ପୂର୍ବରୁ ପୁଞ୍ଛରେ ସୁରକ୍ଷାବଳକୁ ବଡ ସଫଳତା ମିଳିଥିଲା । ପୁଞ୍ଛର ସିନ୍ଧରା ଅଞ୍ଚଳରେ ସୁରକ୍ଷା ବଳ ୪ ଆତଙ୍କୀକୁ ମାରିଥିଲେ । ମିଳିତ ଅପରେସନରେ ସୁରକ୍ଷାବଳ ଆତଙ୍କୀକୁ ନିପାତ କରିଥିଲେ । ଏହି ସର୍ଚ୍ଚ ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ନ୍ୟାସନାଲ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୋଲିସ ଯବାନ ସାମିଲ ଥିଲେ ।