ଜଳୁଛି କୁଲଡ଼ିହା ଅଭୟାରଣ୍ୟ, ବିପଦରେ ଜୀବଜନ୍ତୁ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ଆଜକୁ ୩ଦିନ ହେବ ନିଆଁ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି ବନବିଭାଗ । କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବ.ମି. ପରିବ୍ୟାପ୍ତ ଭିତରେ ଏକାଧିକ ସ୍ଥାନରେ ଏକର ଏକର ଜମିରେ ଥିବା ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଇଛି । ବନାଗ୍ନି ଯୋଗୁଁ ଲକ୍ଷ ଲକ୍ଷ କୀଟପତଙ୍ଗ ବନଔଷଧି ଭସ୍ମୀଭୂତ ହୋଇଯାଇଛି । ତୃଣଭୋଜୀ ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସେମାନଙ୍କ ଜୀବନ ସଂକଟ ମଧ୍ୟକୁ ଠେଲି ହେଉଛି ।
ଅଭୟାରଣ୍ୟର ଅଶୋକନାଳ, ଦ୍ୱାରିକା, ରଙ୍ଗାମାଟିଆ, ଆଦି ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ପାଦଦେଶରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରେ ଥିବା ଜଙ୍ଗଲରୁ ଅନ୍ୟ ଏକ ପାହାଡ଼ର ଜଙ୍ଗଲକୁ ବ୍ୟାପୁଛି ନିଆଁ । ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ନିଆଁ ଲାଗିବା ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ପ୍ରତି ବିପଦ ବଢ଼ାଇଛି । ସରକାର ଜଙ୍ଗଲ ଜୀବଜନ୍ତୁଙ୍କ ଅଭିବୃଦ୍ଧି ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ନିଆଁ ଲିଭାଇବାରେ ବନବିଭାଗ କେଉଁଠି ନା କେଉଁଠି ଫେଲ ମାରିଛି । ଜୀବଜନ୍ତୁଙ୍କ ଜୀବନ ଏବେ ବିପଦରେ । ଯଦି ବନବିଭାଗ ଯେକୌଣସି ଉପାୟରେ ନିଆଁକୁ ଆୟତ୍ତ ନ କରନ୍ତି ତେବେ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।