ଆଇପିଏଲରେ ୬୫୦୦ ରନ୍ ପୂରା କଲେ କୋହଲି, ରଚିଲେ ଇତିହାସ
ମୁମ୍ବାଇ : ଆଇପିଏଲରେ ଚଳିତ ବର୍ଷ ସବୁଠାରୁ ଖରାପ ଫର୍ମରେ ଅଛନ୍ତି ବିରାଟ କୋହଲି । ୨୦୨୨ ଆଇପିଏଲ୍ର ପୂରା ସିଜନ ସରିବାକୁ ବସିଥିବା ବେଳେ ବିରାଟ ଏପର୍ଯ୍ୟନ୍ତ ଗୋଟିଏ ବି ଶତକ ହାସଲ କରିପାରିଲେ ନାହିଁ । ଏତେ ଖରାପ ପ୍ରଦର୍ଶନ ସତ୍ତ୍ୱେ ବି କୋହଲି ସମସ୍ତଙ୍କ ଠାରୁ ଆଗରେ। ସେ ଏକମାତ୍ର ବ୍ୟାଟର ଭାବେ ଆଇପିଏଲ୍ରେ ୬୫୦୦ ରନ୍ ପୂରା କରିଛନ୍ତି। ଶୁକ୍ରବାର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ପାଞ୍ଜାବ ବିରୋଧରେ ଖେଳି ୨୦ ରନ୍ କରିଥିବା ବେଳେ ଏହି ସଫଳତା ଲାଭ କରିଛନ୍ତି ବିରାଟ।
ବିରାଟଙ୍କ ବ୍ୟାତୀତ କେବଳ ଶିଖର ଧୱନ ଆଇପିଏଲ୍ରେ ୬ ହଜାରରୁ ଅଧିକ ରନ୍ କରିବାରେ ସଫଳ ହୋଇଛନ୍ତି। ତାଙ୍କ ପଛକୁ ଡେଭିଡ୍ ୱାର୍ଣ୍ଣର୍ ଯିଏ ଚଳିତ ସିଜନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି, ସେ ୫୮୭୬ ରନ୍ କରି ତୃତୀୟରେ ରହିଛନ୍ତି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ରୋହିତ ଶର୍ମା ୫୮୨୯ ରନ୍ କରି ଚତୁର୍ଥରେ ରହିଥିବା ବେଳେ ସୁରେଶ ରାଇନା(ଚଳିତ ସିଜନରେ ବିକ୍ରି ହୋଇପାରି ନାହାନ୍ତି) ୫୫୨୮ ରନ୍ କରି ପଞ୍ଚମରେ ଅଛନ୍ତି।
ସୂଚନା ଯେ, ଗତ ୨୦୧୬ ଆଇପିଏଲ୍ ସିଜନରେ ବିରାଟ ଏକା ସାଙ୍ଗରେ ଦୁଇଟି ରେକର୍ଡ କରିଥିଲେ। ୨୦୧୬ ଗୋଟିଏ ସିଜନ୍ରେ ସର୍ବାଧିକ (୯୭୩) ରନ୍ କରିଥିବା ବେଳେ ୪ଟି ଶତକ ମାରିବାର ରେକର୍ଡ କରିଥିଲେ। ଏହାପରେ ୨୦୧୭ରେ ୩୦୮ ରନ୍, ୫୩୦ ରନ୍(୨୦୧୮), ୪୬୪ (୨୦୧୯) ୪୬୬(୨୦୨୦) ଓ ୪୦୫ ରନ୍ (୨୦୨୧) କରିଛନ୍ତି।