୫୮ ବର୍ଷରେ କିଙ୍ଗ ଖାନ୍, ରାତିରେ ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇଲେ ଶାହାରୁଖ
- ମଧ୍ୟରାତ୍ରୀରେ ଜନ୍ମଦିନ ପାଳିଲେ ବଲିଉଡ୍ ବାଦଶାହା ଶାହାରୁଖ
ମୁମ୍ବାଇ : ଆଜି କିଙ୍ଗ ଖାନ ଶାହାରୁଖଙ୍କ ଜନ୍ମଦିନ । ଶାହାରୁଖଙ୍କୁ ଏବେ ୫୮ ବର୍ଷ ବୟସ । ତଥାପି କମିନି ତାଙ୍କ କ୍ରେଜ। ଏବେ ବି ସେ ଯୁବପୀଢୀଙ୍କ ପାଇଁ ରୋମାନ୍ସ କିଙ୍ଗ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ। ନିଜର ନିଆରା ରୋମାଣ୍ଟିକ ଅନ୍ଦାଜ ପାଇଁ ସେ ପପୁଲାର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶାହାରୁଖ ଘର ମନ୍ନତ ଆଗରେ ଲାଗିଛି ଫ୍ୟାନ୍ସଙ୍କ ଭିଡ଼। ଜନ୍ମଦିନରେ ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ । ହଜାର ହଜାର ଫ୍ୟାନ୍ସ ଘର ଆଗରେ ଜମା ହୋଇଥିଲେ । ଶାହାରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କ ମନ ରଖିଥିଲେ । ଛାତ ଉପରକୁ ଆସି ହାତ ହଲାଇ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଥିଲେ ।
୫୮ ବର୍ଷରେ ପାଦ ଦେଇଥିବା ଶାହରୁଖ ଖାନଙ୍କ ଚଳଚ୍ଚିତ୍ର କ୍ୟାରିୟରକୁ ଦେଖିଲେ, ତେବେ ସେ ପ୍ରକୃତରେ ବଲିଉଡର କିଙ୍ଗ ଖାନ। ସେ ନିଜର ପରିଶ୍ରମ ଏବଂ ଦକ୍ଷତା ସହିତ ଏହି ପଦବୀ ହାସଲ କରିଛନ୍ତି। ବିଶେଷ କଥା ହେଉଛି ବୟସର ଏହି ପର୍ଯ୍ୟାୟରେ ବି ଯେତେବେଳେ ହିନ୍ଦୀ ସିନେମାର ଭୂମିକା ସୀମିତ ହୋଇଯାଉଥିଲା, ଶାହାରୁଖ ରୂପେଲି ପରଦାରେ ହିରୋମାନଙ୍କ ଭାବମୂର୍ତ୍ତିକୁ ବଦଳାଇ ଦେଇଥିବାର ଦେଖାଯାଆନ୍ତି ଏବଂ ପରଦାରେ ଏପରି ଜଣେ ହିରୋ ଭାବରେ ଦେଖାଯାଆନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।
ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ବାହାରି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖ ନିଜ ସିଗନେଚର ପୋଜ୍ରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଗତକାଲି ସକାଳରୁ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । କିଏ ଫୁଲତୋଡା ଡଧରି ଆସିଥିଲା ତ ଆଉ କିଏ କେକ୍ ଓ ଉପହାର ନେଇ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲା । ଏହାସହ ଶାହରୁଖଙ୍କ ବଡ଼ ବଡ଼ ପୋଷ୍ଟର ନେଇ ମଧ୍ୟା ଆସିଥିବା ଦେଖିବାକୁ ମିଳିଥିଲା । ଶାହରୁଖଙ୍କୁ ଅତି ନିକଟରେ ପାଇ ନିଜ ମୋବାଇଲରେ କଏଦ କରି ନେଇଥିଲେ ତାଙ୍କ ପ୍ରଶଂସକ । ରାତି ୧୨ଟାରେ ମନ୍ନତ ସମ୍ମୁଖରେ ପ୍ରଶଂସକ ଆତସବାଜି ମଧ୍ୟ କରିଥିଲେ ।
ଶାହାରୁଖ ଖାନଙ୍କ ଜନ୍ମ ନଭେମ୍ବର ୨, ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମା’ଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରୁ ଶେଷ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଶାହାରୁଖ ।
ବାପା-ମା’ଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ‘ଦିୱାନା’ ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ପ୍ରଶଂସକମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ୱାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ବୀରଜାରା ଭଳି ଅନେକ ଫିଲ୍ମରେ ମନଛୁଆଁ ଅଭିନୟ କରିଛନ୍ତି କିଙ୍ଗ ଖାନ । ସେହିପରି ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।