ନାବାଳିକା ଅପହରଣ ମାମଲା : ଅଭିଯୁକ୍ତକୁ ୭ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା
ବାଲେଶ୍ୱର : ବାଲେଶ୍ୱର ଡିଷ୍ଟ୍ରିକ୍ଟ ଜଜ୍ କୋର୍ଟର ବିଚାରପତି ସାନ୍ତା କୁମାର ଦାସ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ସୋମବାର ଅଭିଯୁକ୍ତକୁ ୭ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା, ଅନାଦେୟ ୬ମାସ ଜେଲ୍ ଦଣ୍ଡର ରାୟ ଶୁଣାଇଛନ୍ତି ।
ସୂଚନା ଯେ, ଗତ ୨୦୦୯ ଜୁଲାଇ ୧୪ ତାରିଖ ପୂର୍ବାହ୍ନ ସମୟରେ ନୀଳଗିରି ଥାନା ଅନ୍ତର୍ଗତ ସାଳବଣୀ ଅଞ୍ଚଳର ମା’ ଓ ବାପା ବନ୍ଧୁ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ଘରେ ତାଙ୍କର ୮ ବର୍ଷୀୟ ନାବାଳିକା ଝିଅ ଏକୁଟିଆ ରହିଥିଲା । ଅପରାହ୍ନ ସମୟରେ ମା’ବାପା ଘରକୁ ଫେରି ନାବାଳିକାକୁ ପାଇନଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ନାବାଳିକାକୁ ନ ପାଇବାରୁ ଗତ ୨୦୦୯ ଜୁଲାଇ ୧୯ ତାରିଖରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗ୍ରାମର ବୁଦ୍ଧିରାମ ସିଂ ଓ ରାଜୁ ଜେନା ଓରଫ୍ ସୋନୁ ଖାଁ ନାବାଳିକା ଝିଅକୁ ଅପହରଣ କରିଥିବା ନେଇ ଅଭିଯୋଗରେ ଦର୍ଶାଇଥିଲେ । ଏହି ମାମଲାକୁ ବିଚାର କରି ବିଚାରପତି ସାନ୍ତା କୁମାର ଦାସ ଅଭିଯୁକ୍ତ ସୋନୁ ଖାଁକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ମାମଲାର ପରିଚାଳନା କରୁଥିଲେ ।