ଶିଶୁକନ୍ୟା ଚୋରି ଘଟଣା, ମହିଳା ଅଟକ
କଟକ : ଏସସିବି ମେଡିକାଲର ଏସଏନସିୟୁରୁ ଗତକାଲି ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ବେଳେ ଏବେ ଘଟଣା ନେଇଛି ନୂଆ ମୋଡ । ନବଜାତକୁ ଫେରାଇବାକୁ ଆସିଥିବା ସ୍ୱିଟି ରାଉତ ନାମ୍ନୀ ମହିଳାଙ୍କୁ ପୋଲିସ ଅଟକ ରଖିଛି । ତେବେ ଉକ୍ତ ମହିଳା ଜଣକ ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ପିଲା ଚୋରିରେ ସ୍ୱିଟିଙ୍କ ସ୍ୱାମୀ ଓ ମା’ ସହଯୋଗ କରିଥିବା ଜଣାଯାଇଛି । ସ୍ୱିଟି ଗର୍ଭବତୀ ନଥିବା ସତ୍ୱେ ସେ ନିଜକୁ ଏକ ପୁତ୍ର ସନ୍ତାନର ଜନନୀ ବୋଲି କହିଥିଲେ । ଭୁଲ ବଶତଃ ନିଜ ପୁଅ ବଦଳରେ ଝିଅକୁ ନେଇଯାଇଥିବା ସେ କହିବାକୁ ପଛାଇନଥିବା ବେଳେ ମେଡିକାଲ ଚେକଅପ୍ ବେଳେ ସେ ଅନ୍ତସତ୍ୱା ନଥିବା ଜଣାପଡିଥିଲା । ସୂଚନାଯୋଗ ଯେ, ପୁରୀ ଚନ୍ଦନପୁରର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସସିବିରେ ଯାଁଳା କନ୍ୟା ପ୍ରସବ କରିଥିଲେ । ଦୁଇଟି ଶିଶୁକନ୍ୟାଙ୍କ ମଧ୍ୟରୁ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତକାଲି ଜଣକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ମାତ୍ର ୧୦ ମିନିଟ ଭିତରେ ତୋଫାନଙ୍କୁ ଫୋନ ଆସିଥିଲା କି ତୁମେ ଛୁଆକୁ ନେଇଯାଇଛ କି ବୋଲି । ତୋଫାନ ଏହା ଶୁଣିବା ପରେ ଛୁଆ ହଜିଯାଇଥିବା ଜାଣି ମେଡିକାଲ ଫାଣ୍ଡିରେ ଏତଲା ଦେଇଥିଲେ । ପୋଲିସ ତନାଘନା ଖୋଜିବା ଆରମ୍ଭ କରିଥିଲା ବେଳେ ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହୋଇଥିଲା । ଏହାପରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ କଟକ ପ୍ରତାପନଗରୀର ସ୍ୱିଟି ରାଉତ ନିଜ ସ୍ୱାମୀ ଓ ମା’ଙ୍କ ସହ ଏସସିବିରେ ପହଂଚି ନିଜ ପୁଅ ବଦଳରେ ଭୁଲ ବଶତଃ ଝିଅକୁ ନେଇଯାଇଥିବା କହି ଛୁଆକୁ ଫେରାଇଥିଲେ । ସ୍ୱିଟି ଗର୍ଭବତୀ ନଥିବା ବେଳେ କାହିଁକି ମିଛ କହିଲେ ଓ କିଭଳି ଭାବରେ ପିଲା ଚୋରି କଲେ ସେନେଇ ପୋଲିସ ସ୍ୱିଟିଙ୍କୁ ଅଟକ ରଖି ଅଧିକ ପଚରା ଉଚରା ଚଳାଇଥିବା ଜଣାଯାଇଛି ।
।