ଖାଟୁଶ୍ୟାମ ମନ୍ଦିରରେ ଅଘଟଣ : ଠେଲାପେଲାରେ ୩ ମହିଳା ମୃତ
ନୂଆଦିଲ୍ଲୀ : ରାଜସ୍ଥାନର ସିକର ଜିଲାରେ ଥିବା ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରେ ଅଘଟଣ । ଶ୍ରାବଣର ଶେଷ ସୋମବାର ଯୋଗୁଁ ସକାଳୁ ମନ୍ଦିରରେ ଠେଲାପେଲାରେ ୩ ଜଣ ମହିଳା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମୀ ଓ ସୁରକ୍ଷା କର୍ମୀ ସ୍ଥିତି ସମ୍ଭାଳିଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ଖାଟୁଶ୍ୟାମଜୀ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଶ୍ରାବଣ ଶେଷ ସୋମବାର ସକାଳ ୫ଟାରେ ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ପରେ ଭକ୍ତଙ୍କ ଗହଳି ଲାଗିଥିଲା । ମନ୍ଦିର ପ୍ରବେଶ ଦ୍ୱାର ଖୋଲାଯିବା କ୍ଷଣି ଭିତରକୁ ଯିବା ପାଇଁ ଦୌଡ଼ିଥିଲେ ଶ୍ରଦ୍ଧାଳୁ । ଏହି ସମୟରେ ଦଳାଚକଟା ହୋଇଥିଲା । କିଛି ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ତଳେ ପଡି ଯାଇଥିଲେ । ତୁରନ୍ତ ସୁରକ୍ଷାକର୍ମୀ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । କିନ୍ତୁ ସେତେବେଳକୁ ୩ ଜଣ ପ୍ରାଣ ହରାଇ ସାରିଥିଲେ । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିବା ପରେ ଅନ୍ୟ ୨ଜଣଙ୍କ ପରିଚୟ ଖୋଜାଚାଲିଛି ।