ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଖଡ଼ିଆଳ ବିଡିଓ ନାରାୟଣ ସାହୁ । ଶ୍ରୀ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କୁ କୋର୍ଟ ଚାଲାଣ କରାଯାଇ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ମାସ ୩୧ ତାରିଖ ଯାଏଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।
ଶ୍ରୀ ସାହୁଙ୍କ ପାଖରୁ ଆୟଠାରୁ ଅଧିକ ୧୦୬% ସମ୍ପତ୍ତି ଠାବ କରଛି ଭିଜିଲାନ୍ସ । ବଲାଙ୍ଗିରରେ ନାରାୟଣ ସାହୁଙ୍କ ଘରୁ ନଗଦ ଟଙ୍କା ସହ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି । ତାଙ୍କ ନାଁରେ ଏକାଧିକ ପ୍ଲଟ୍ ମଧ୍ୟ ଥିବା ସୂଚନା ମିଳିଛି । ବଲାଙ୍ଗିରର ସ୍ବତନ୍ତ୍ର ଭିଜିଲାନସ୍ ଜଜଙ୍କ ସର୍ଚ୍ଚ ୱାରେଣ୍ଟରେ ନୂଆପଡା, ବଲାଙ୍ଗିର, ବରଗଡ଼ ଏବଂ ସୋନପୁରର ୫ଟି ସ୍ଥାନରେ ଭିଜିଲାନସ୍ ଅଧିକାରୀ ଚଢାଉ କରିଥିଲେ ।
ଶ୍ରୀ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ବିଡିଓ ଓ ତାଙ୍କ ସଂପର୍କୀୟଙ୍କ ବିପୁଳ ପରିମାଣର କଳାଧନ ଠାବ କରିଛି ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ସହରରେ ୮୮ ଲକ୍ଷ ଟଙ୍କାର ଗୋଟିଏ ଦୁଇ ମହଲା କୋଠା, ବଲାଙ୍ଗୀର ଆଖପାଖରେ ଜମିପ୍ଲଟ, ନଗଦ ୩ ଲକ୍ଷ ୯୯ ହଜାର ଟଙ୍କା, ୧୩ ଲକ୍ଷ ୪୯ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଡିପୋଜିଟ , ୩୬ ଲକ୍ଷ ଟଙ୍କାର ୭୪୬ ଗ୍ରାମ ସୁନା ଅଳଙ୍କାର ଓ ୭୨୦ ଗ୍ରାମର ରୁପା ଅଳଙ୍କାର, ୧୪ ଲକ୍ଷ ୩୮ ହଜାର ମୂଲ୍ୟୟ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ଦୁଇଟି ଦୁଇଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ।