ବାଲେଶ୍ଵର ଆସନରୁ ବିଜେପି ଟିକେଟ ନ ମିଳିବାରୁ କ୍ଷୁବ୍ଧ, ସ୍ୱାଧୀନ ଭାବେ ଲଢିବା ପାଇଁ ଘୋଷଣା କଲେ ଖାରବେଳ
ବାଲେଶ୍ବର : ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ରବିବାର ବିଜେପି ଦଳରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ହେବା ପରେ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ।
ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ମିଳିନଥିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାଲେଶ୍ବରରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏଥର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିଲେ ଖାରବେଳ ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତକାଲି ବିଜେପିର ୧୮ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କ ନାଁ ନାହିଁ । ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି ଯେ, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପିରୁ ଇସ୍ତଫା ନଦେଇ ଲଢ଼ିବେ । ଏଥିପାଇଁ ବିଜେପିରୁ ତାଙ୍କୁ ବହିଷ୍କାର କରାଗଲେ ମଧ୍ୟ ସେ ଖାତିର କରିବେ ନାହିଁ ବୋଲି ଖାରବେଳ କହିଛନ୍ତି ।
୨୦୧୯ ନର୍ବାଚନରେ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ପରେ ପରାଜିତ ହୋଇଥିଲେ । ଚଳିତ ଥର ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ କହିଥିଲେ । ବାଲେଶ୍ୱର ପାଇଁ ସେ ଆଶାୟୀ ଥିବା କୁହାଯାଉଥିଲା । ତେବେ ପ୍ରାର୍ଥୀ ତାଲିବା ଆସିବା ପରେ ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି କହିଛନ୍ତି ।