ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲା କେରଳ
ଥିରୁଭନନ୍ତପୁରମ : ତୁର୍କୀରେ ଖାରମନମରରେ ଗତ ଫେବ୍ରୁଆରୀ ୬ ତାରିଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ହଜାର ହଜାର ବିଲ୍ଡିଂ ଭୂଶୁଡ଼ି ପଡ଼ିଥିବା ବେଳେ ଘର ୫୦ ହଜାର ପାଖପାଖି ଲୋକଙ୍କର ଜୀବନ ଯାଇଥିଲା।ଏହି ପରିପ୍ରେକ୍ଷୀରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକମ୍ପ ପାଇଁ ୧୦ କୋଟି ସହାୟତା ରାଶି ଘୋଷଣା କଲା ଭାରତର କେରଳ ରାଜ୍ୟ। ଏନେଇ କେରଳ ଅର୍ଥମନ୍ତ୍ରୀ କେଏନ୍ ବାଲଗୋପାଳ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ତୁର୍କୀରେ ଲୋକମାନଙ୍କୁ ସହଯୋଗ କରିବାକୁ ଏହି ସହଯୋଗ ରାଶି ଘୋଷଣା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଏହି ଅର୍ଥରାଶିକୁ ତୁର୍କୀକୁ ଦେବା ପାଇଁ ଅନୁମତି ଦେଇସାରିଛନ୍ତି। ଫେବ୍ରୁଆରୀ ୮ ତାରିଖରେ କେରଳ ବଜେଟ୍ରେ ତୁର୍କୀ ପାଇଁ ସହାୟତା ରାଶି ଯୋଗାଇ ଦେବାକୁ ପ୍ରସ୍ତାବ ରହିଥିଲା। ୧୦ କୋଟି ଦେବାକୁ ବଜେଟ୍ରେ ବ୍ୟୟ ବରାଦ ହୋଇଥିଲା।
ସେହିପରି ତୁର୍କୀର ସ୍ଥିତି ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ତୁର୍କୀରେ ହୋଇଥିବା ଭୂମିକମ୍ପର ପରିଣାମ ସାରା ବିଶ୍ୱକୁ ହତବାକ କରିଦେଇଛି। ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ତେଣୁ ସେଠାକାର ଲୋକଙ୍କୁ ସହଯୋଗ କରିବାକୁ ଏହି ସହାୟତା ରାଶି ବରାଦ ହୋଇଛି। ତୁର୍କୀ ଓ ସିରିଆରେ ଭୂମିକମ୍ପ ପାଇଁ ସାରା ବିଶ୍ୱରୁ ସହଯୋଗ ମିଳିଛି। ଭାରତ ମଧ୍ୟ ବିପତ୍ତିର ତୁରନ୍ତ ପରେ ତୁର୍କୀକୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା। ଉଦ୍ଧାରକାରୀ ଟିମ୍ ସହ ଔଷଧ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲା। ସେହିପରି ଜାତିସଂଘ ମଧ୍ୟ ତୁର୍କୀ ଓ ସିରିଆକୁ ସହଯୋଗ କରିବାକୁ ସହାୟତା ରାଶି ଘୋଷଣା କରିଥିଲା।