ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ରଥ
କେନ୍ଦୁଝର : ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି କେନ୍ଦୁଝର ରଥ । ଏହି ରଥ ବିଶ୍ୱର ସୁବଠାରୁ ଉଚ୍ଚ ରଥର ମାନ୍ୟତା ହାସଲ କରିଛି । ଏକ ସ୍ୱତନ୍ତ୍ର ସମାରୋହରେ ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ରଥର ଉଚ୍ଚତା ୭୨ ଫୁଟ ଏବଂ ଓସାର ୪୫ ଫୁଟ । ଏବଂ ୧୬ଟି ଚକ ରହିଛି । ସୂଚନାଯୋଗ୍ୟଯେ, କେନ୍ଦୁଝରର ବଳଦେବଜିଉ ମନ୍ଦିରରେ ପ୍ରଭୁ ବଳଭଦ୍ର ପୂଜା ପାଉଥିଲେ ବି ରଥର ନାମ ନନ୍ଦିଘୋଷ ଦିଆଯାଇଛି । ଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଏ । ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁମାନେ ସିଆଡି ଲତାରେ ପ୍ରସ୍ତୁତ କରିଥାନ୍ତି । ଏଠାରେ ପ୍ରତିବର୍ଷ ରଥଯାତ୍ରାରେ ବହୁ ସଂଖ୍ୟକ ଭକ୍ତ ଯୋଗ ଦେଇଥାନ୍ତି । ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ଧାମର ରଥଯାତ୍ରା ପରେ ଏହି ରଥଯାତ୍ରା ଅନ୍ୟତମ । ତେବେ ବିଭିନ୍ନ ପର୍ଯ୍ୟାୟରେ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ ଅଧିକାରୀ ଯାଞ୍ଚ କରିବା ପରେ ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି ।