କେନ୍ଦ୍ରାପଡ଼ା ଜିଲା ପରିଷଦ ଉପସଭାପତି ନିର୍ବାଚନ : ନିଦ୍ୱର୍ନ୍ଦରେ ବିଜୟୀ ହେଲେ ଅଶୋକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲା ପରିଷଦ ଉପସଭାପତି ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶୁକ୍ରବାର ପୂର୍ବାହ୍ଣରେ ନିର୍ଦ୍ୱନ୍ଦରେ ଜିଲା ପରିଷଦର ଉପସଭାପତି ଭାବେ ବିଜୟୀ ହୋଇଛନ୍ତି ଅଶୋକ କୁମାର ପ୍ରତିହାରୀ । ଉପସଭାପତି ପଦ ନିମନ୍ତେ ବିଜେଡି ପକ୍ଷରୁ କେବଳ ରାଜନଗର ବ୍ଲକର ଜୋନ ନମ୍ବର – ୩୧ନଂ ଜୋନରୁ ବିଜୟୀ ହୋଇଥିବା ଜିଲା ପରିଷଦ ସଭ୍ୟ ଅଶୋକ କୁମାର ପ୍ରତିହାରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଶ୍ରୀ ପ୍ରତିହାରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ରେ ପୂର୍ବାହ୍ଣ ୧୦ଟାରେ ପହଞ୍ଚି ନିର୍ବାଚନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିଲେ । ତେଣୁ ନିର୍ବାଚନ ଅଧିକାରୀ ଅଶୋକ କୁମାର ପ୍ରତିହାରୀଙ୍କୁ ଜିଲ୍ଲା ପରିଷଦର ଉପସଭାପତି ଭାବେ ନିଦ୍ୱନ୍ଦରେ ବିଜୟୀ ହୋଇଥିବା ଘୋଷଣା କରିଥିଲେ । ଏହାପରେ ଅଶୋକ ଜିଲା ପରିଷଦ ସଭାପତିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ୮ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ୫ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଲିଲିତା ଦାସ, ୭ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ୨ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ୧୫ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ପ୍ରିୟଦର୍ଶିନୀ ତରାଇଙ୍କ ସମେତ ସମସ୍ତ ଜିଲା ପରିଷଦ ସଭ୍ୟମାନେ ତାଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।