କେନ୍ଦ୍ରାପଡ଼ାରେ ବିଜେଡ଼ି ନଗରପାଳ ପ୍ରାର୍ଥୀ ସରିତା ସାହୁ ପିନ୍ଧିଲେ ବିଜୟ ମୁକୁଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ସରିତା ସାହୁ ଶନିବାର ବିଜୟ ମୁକୁଟ ପିନ୍ଧି ନଗରପାଳ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶ୍ରୀମତୀ ସାହୁ ୧୩, ୭୫୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀମତୀ ସାହୁ ୧୮ହଜାର ୨୫୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୀନାକ୍ଷୀ ଦାଶ ମାତ୍ର ୪ ହଜାର ୪୯୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ମାତ୍ର ୩ ହଜାର ୭୮୦ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସରିତା ହେଉଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତଥା ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ(ଧନୀ)ଙ୍କ ପତ୍ନୀ । ଉଚ୍ଚ ଶିକ୍ଷିତା ସରିତା ରାଜନୀତିରେ ନୂଆ ହୋଇ ମଧ୍ୟ ନିଜର ଶାନ୍ତ ସ୍ୱଭାବ, ସ୍ୱାମୀଙ୍କ ସମାଜସେବାମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ବିଜୟ ମୁକୁଟ ପିନ୍ଧିଥିବା କହିିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡି ଯେଉଁ ପ୍ରାର୍ଥୀମାନଙ୍କୁ ଦଳରୁ ନିଲମ୍ବିତ କରିଥିଲା ସେମାନଙ୍କ ମଧ୍ୟରୁ କେତେକ ବାଜି ମାରି ନେଇଛନ୍ତି । ଯାହା ଫଳରେ ବିଜେଡ଼ିକୁ ଏକ ମସ୍ତ ବଡ଼ ଝଟକା ଲାଗିଛି । ବିଜୟୀ ହୋଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ୨ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀ କାଳୀ ପ୍ରସାଦ ମିଶ୍ର, ୪ ନମ୍ବର ୱାର୍ଡର ଶୁଭଶ୍ରୀ ନିବେଦିତା ସ୍ୱାଇଁ, ୧୦ ନମ୍ବର ୱାର୍ଡର ରଶ୍ମିତା ସିଂହ ୧୩ ନମ୍ବର ୱାର୍ଡର ସେକ ଅସଲମ । ଏହି ପ୍ରାର୍ଥୀମାନେ ବିଜେଡି ଟିକଟ ପାଇବା ପାଇଁ ଆଶାବାଦୀ ଥିଲେ । କେବଳ ଆଶାବାଦୀ ନୁହେଁ ଦୀର୍ଘଦିନ ଧରି ଦଳ ପାଇଁ କାର୍ଯ୍ୟ ମଧ୍ୟ କରି ଆସୁଥିଲେ । କିନ୍ତୁ ଦଳ ସେମାନଙ୍କୁ ଟିକଟ ନ ଦେଇ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଟିକଟ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏପରିକି ଅର୍ଥ କାରବାର ବଳରେ ଅଯୋଗ୍ୟମାନେ ଟିକଟ ପାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଫଳରେ ଦଳରୁ ବିଦା ହୋଇଥିବା ଏହି ପ୍ରାର୍ଥୀମାନେ ସ୍ୱାଧୀନ ପ୍ରାର୍ଥୀଭାବେ ନିଜର ଦମ ଦେଖାଇବେ ବୋଲି ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପାଇଁ ବିଜେଡି ନେତାମାନେ ବିଭିନ୍ନ ଧମକ ଚମକ ମଧ୍ୟ ଦେଇଥିଲେ । କିନ୍ତୁ ବିଜୟୀ ହୋଇଥିବା ଏହି ପ୍ରାର୍ଥୀମାନେ ଧମକକୁ ଖାତିର କରି ନ ଥିଲେ । ତେଣୁ ସେମାନେ ନାମାଙ୍କନ ପ୍ରତ୍ୟାହାର କରି ନ ଥିଲେ । ଫଳରେ ବିଜେଡ଼ି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା ଗତ ୧୭ ତାରିଖରେ ଏକ ପ୍ରେସ ବିବୃତ୍ତି ଜରିଆରେ ଏମାନଙ୍କୁ ଦଳରୁ ବହିସ୍କୃତ କରାଗଲା ବୋଲି ଘୋଷଣା କରିଥିଲେ । ଏମାନେ ଦଳୟୀ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ବିଜେଡି ନେତାମାନେ ଅସହିଷ୍ନୁ ହୋଇ ପଡିଥିଲେ । ଏମାନଙ୍କୁ ହରାଇବା ପାଇଁ ବିଜେଡି ନେତାମାନେ କଳ, ବଳ ଓ କୌଶଳ ପ୍ରୟୋଗ କରିଥିଲେ । କିନ୍ତୁ ସେସବୁ ବାଧାବିଘ୍ନକୁ ସହ୍ୟ କରି ଏମାନେ ଲଢେଇ ଜାରି ରଖିଥିଲେ । ତେଣୁ ବିଜୟ ମୁକୁଟ ପିନ୍ଧିଲେ ବୋଲି ସେମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।