କସନୋଭ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା : ଦୂତିଙ୍କୁ କାଂସ୍ୟ ପଦକ
ଭୁବନେଶ୍ବର: କାଜାଖସ୍ଥାନର ଅଲମାଟିଠାରେ ଆୟୋଜିତ କସନୋଭ ଅନ୍ତର୍ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ତାରକା ତଥା ଦୌଡ଼ରାଣୀ ଦୂତି ଚାନ୍ଦ ଆଉ ଏକ ପଦକ ଜିତିଛନ୍ତି। ମହିଳା ୨୦୦ ମିଟରରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ଜିତିଛନ୍ତି ସେ। ଏହି ବର୍ଗରେ ତାଙ୍କ ଟାଇମିଂ ଥିଲା ୨୩.୬୦ ସେକେଣ୍ଡ। ଏହା ପୂର୍ବରୁ ଦୂତି ମହିଳା ୧୦୦ ମିଟର ଏବଂ ୪ ଗୁଣା ୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ।
ଅନ୍ୟପକ୍ଷରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ପୂର୍ବରୁ ଦୁଇଟି ରୌପ୍ୟ ପଦକ ମିଳିଥିଲା । ମହିଳା ୧୦୦ ମିଟର ଫାଇନାଲ୍ରେ ୧୧.୪୯ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୪ ଗୁଣା ୧୦୦ ରିଲେରେ ଭାରତୀୟ ଦଳ ୪୫.୨୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଥିଲା। ଦୂତି ଭାରତୀୟ ରିଲେ ଦଳର ଅନ୍ୟତମ ସଦସ୍ୟ ଥିଲେ। ଏହା ପୂର୍ବରୁ ଦୂତି ୧୧.୩୮ ସେକେଣ୍ଡ ସମୟ ସହ ମହିଳା ୧୦୦ ମିଟରର ଫାଇନାଲ୍ରେ ପ୍ରବେଶ କରିଥିଲେ। ନିଜ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେ। ସୂଚନା ଯେ, ଏହି କସନୋଭ ଦୌଡ଼କୁଦ ପ୍ରତିଯୋଗିତା ଜରିଆରେ ହିଁ ଦୂତି ପ୍ରଥମ ଥର ଲାଗି ଅଲିମ୍ପିକ୍ସ (ରିଓ, ବ୍ରାଜିଲ) ଯୋଗ୍ୟତା ଅର୍ଜନ କରିଥିଲେ।