ଆଜିଠୁ ଖୋଲିବ କରତାରପୁର ସାହିବ କରିଡର
ନୂଆଦିଲ୍ଲୀ : ଆଜି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କର୍ତ୍ତାରପୁର ସାହିବ କରିଡର । ଫଳରେ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ କର୍ତ୍ତାରପୁରରେ ପହଞ୍ଚି ପାରିବେ। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ସୂଚନା ଦେଇଥିଲେ। ଏହି ମହତ୍ୱପୂର୍ଣ୍ଣ ନିଷ୍ପତିରେ ବହୁ ସଂଖ୍ୟକ ଶିଖ୍ ତୀର୍ଥଯାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି । ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି ଓ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।
ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ଉତ୍ସବ ନଭେମ୍ବର ୧୯ରେ ପାଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଗୁରୁ ନାକକ ଜନ୍ମଦିନର ଦୁଇ ଦିନ ପୂର୍ବରୁ କରତାରପୁର ସାହିବ କରିଡ଼ର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରଙ୍କ ନିଷ୍ପତି ସମସ୍ତଙ୍କୁ ଖୁସି କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ବହୁ ସଂଖ୍ୟକ ଶିଖ୍ ତୀର୍ଥଯାତ୍ରୀ ଉପକୃତ ହେବେ । ଏହି ନିଷ୍ପତି ଶ୍ରୀ ଗୁରୁ ନାନକ ଦେବଜୀ ଏବଂ ଶିଖ ସମ୍ପ୍ରଦାୟ ପ୍ରତି ମୋଦୀ ସରକାରଙ୍କ ଅପାର ଶ୍ରଦ୍ଧା ଦର୍ଶାଉଛି । ସୂଚନା ଯେ, ମହାମାରୀ କରୋନା ବ୍ୟାପିବାରୁ ୨୦୨୦ ମସିହା ମାର୍ଚ୍ଚ ମାସରେ ପାକିସ୍ତାନ କରିଡର ବନ୍ଦ କରିଥିଲା। ଏହାପରେ ପ୍ରଥମେ ଜୁନ୍ ୨୭ରେ ଏହା ଖୋଲାଯିବ ବୋଲି ଇସଲାମାବାଦ କହିଥିଲା। ଏହାପରେ ଏହାକୁ ଅକ୍ଟୋବର ୩କୁ ଘୁଞ୍ଚା ଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ନଥିଲା। ଗତବର୍ଷ କରିଡର ବନ୍ଦ ହେବା ପରେ ପାକିସ୍ତାନ ସହାୟତାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ୱାଘା-ଅଟ୍ଟାରୀ ସୀମାରେ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଉଥିଲା। ଏବେ କରିଡର ଖୋଲିବାରୁ ଶ୍ରଦ୍ଧାଳୁମାନେ ଦରବାର ସାହିବକୁ ଯାଇପାରିବେ। ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।