ହିଜାବ ବିବାଦ ଘଟଣାରେ ସମ୍ବିଧାନ ଅନୁଯାୟୀ ନିଷ୍ପତି ନିଆଯିବ : କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ କଲେଜରେ କିଛି ଛାତ୍ରୀ ହିଜାବ ପିନ୍ଧିବା ନେଇ କିଛି ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଉପରେ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ । ସମ୍ବିଧାନ ଯାହା କହିବ ଆମେ ତାହା କରିବୁ । ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା । ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ, ୟୁନିଫର୍ମ ସ୍ଥିର କରିବା କଲେଜଗୁଡିକର କାମ । ଯେଉଁ ଛାତ୍ରଛାତ୍ରୀମାନେ ଏଥିରୁ ଆରାମ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ ।
ସୂଚନା ମୁତାବକ, କର୍ଣ୍ଣାଟକର ଉଡୁପି, ଏମଜିଏମ କଲେଜରେ ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା । ଯେତେବେଳେ କିଛି ଛାତ୍ରୀ ହିଜାବ ପିନ୍ଧି କଲେଜରେ ପହଂଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଯାଇନଥିଲା । ହେଲେ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ବନ୍ଦ କରିନଥିଲେ । ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ଗାମୁଛା ପକାଇ କଲେଜ ଆସିଥିଲା । ବିବାଦ ବଡ ହେବା ଦେଖି ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜ ବନ୍ଦ କରାଗଲା । ସମାଧାନ ପାଇଁ ଏହି ମାମଲା ହାଇକୋର୍ଟରେ ପହଂଚିବା ପରେ ଆଜି ଏହାର ଶୁଣାଣି ହୋଇଛି । ଶୁଣାଣି ସମୟରେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ । ସମ୍ବିଧାନ ଯାହା କହିବ ଆମେ ତାହା କରିବୁ । ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା । ସମ୍ବିଧାନକୁ ଅନୁସରଣ କରିବାକୁ ମୁଁ ଶପଥ ନେଇଛି ।