କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଜବତ ହେଲାଣି ୨୩୬ କିଲୋ ସୁନା, ରୁପା, ୫ ଲକ୍ଷ ଲିଟର ମଦ, ୬୮ କୋଟି ନଗଦ ଟଙ୍କା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ଦଳୀୟ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । କ୍ଷମତାସୀନ ବିଜେପି ପୁଣି ସରକାର ଗଠନ କରିବା ପାଇଁ ପ୍ରୟାସ କରୁଥିବା ବେଳେ କଂଗ୍ରେସ ଶାସନକୁ ଫେରିବାକୁ ଗୋଟି ଚାଳନା କରୁଛି । ଭୋଟରଙ୍କୁ ପ୍ରଲୋଭିତ କରିବାକୁ ପ୍ରାର୍ଥୀମାନେ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ, ମଦ,ଟଙ୍କା ଆଦି ବାଣ୍ଟିବାରେ ଲାଗିଛନ୍ତି । କିନ୍ତୁ ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ନିର୍ବାଚନ ଆୟୋଗ ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୬ କେଜି ସୁନା ରୁପା ସାମଗ୍ରୀ ସହ ନଗଦ ଟଙ୍କା, ମଦ, ବେଆଇନ ଡ୍ରଗ୍ସ ଜବତ କରିଛନ୍ତି। ଏଠାରେ ଯେପରି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନ ହୁଏ ସେଥିପାଇଁ ନିର୍ବାଚନ କମିଶନ ସକ୍ରିୟ ଅଛନ୍ତି। ପୁଲିସ ସହ ନିର୍ବାଚନ ଅଧିକାରୀମାନେ ମଧ୍ୟ ସତର୍କ ରହି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ମାର୍ଚ୍ଚ ୨୯ରେ କର୍ଣ୍ଣାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା।
ଏହାପରେ ନିର୍ବାଚନ ଅଧିକାରୀମାନେ ନଗଦ ଟଙ୍କା, ମଦ ସମେତ ବେଆଇନ ନିଶା ଦ୍ରବ୍ୟ ଏବଂ କୋଟି କୋଟି ଟଙ୍କାର ଶହ ଶହ କିଲୋ ସୁନା ଓ ରୂପା ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ କର୍ତ୍ତୃପକ୍ଷ ୬୭ କୋଟି ୭୬ ଲକ୍ଷ ୭୩ ହଜାର ୩୩୮ ଟଙ୍କା ଜବତ କରିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବେଙ୍ଗାଲୁରୁରେ ଏପର୍ଯ୍ୟନ୍ତ ମୋଟ ୨୪୬୬ଟି ଏଫଆଇଆର ରୁଜୁ ହୋଇଛି। ୨୫ଟି ଭିନ୍ନ ଭିନ୍ନ ମାମଲାରେ ୧୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ୨୪.୩ କୋଟି ଟଙ୍କାର ୫ ଲକ୍ଷ ଲିଟର ମଦ ସହ ୯ କୋଟି ୭୧ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ, ଗଞ୍ଜେଇ ଓ ନିଶା ଦ୍ରବ୍ୟ ଜବତ କରାଯାଇଛି।