କାନପୁର ଟେଷ୍ଟ : ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୧୨୯/୦
କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ମଜଭୁତ ସ୍ଥିତିରେ ରହିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା କିୱି ଦଳ ପ୍ରଥମ ଇନିଂସରେ ୫୭ ଓଭର ଖେଳି ବିନା କୌଣସି ୱିକେଟରେ ୧୨୯ ରନ୍ ସଂଗ୍ରହ କରିଛି । ଦ୍ବିତୀୟ ଦିନର ଦ୍ବିତୀୟ ସେସନରେ ହିଁ ଭାରତୀୟ ଦଳ ୩୪୫ ରନ୍ରେ ଅଲ ଆଉଟ ହୋଇଥିଲା ।
ଏହାପରେ ପଡ଼ିଆକୁ କିୱି ଓପନର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଉଭୟ ବ୍ୟାଟର ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ଖେଳି ଭାରତୀୟ ବୋଲରଙ୍କୁ ୱିକେଟ ନେବାର କୌଣସି ସୁଯୋଗ ଦେଇନଥିଲେ । ୱିଲ୍ ୟଙ୍ଗ୍ ୭୫ ରନ୍ କରି ଅପରାଜିତ ଥିବା ବେଳେ ଟମ ଲାଥାମ ଅର୍ଦ୍ଧଶତକ ହାସଲ କରି ପିଚ୍ରେ ଅଛନ୍ତି । ଏବେବି ଭାରତଠାରୁ ୨୧୬ ରନ୍ ପଛରେ ରହିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ଦଳ ସ୍ଥିତି ଏବେ ମ୍ୟାଚରେ ସଦୃଢ଼ ରହିଛି । ଭାରତକୁ ମ୍ୟାଚରେ ଫେରିବାକୁ ହେଲେ ତୃତୀୟ ଦିନ ଆରମ୍ଭରୁ ୱିକେଟ ନେବାକୁ ହେବ । ସେପଟେ ଦ୍ବିତୀୟ ଆରମ୍ଭରୁ ଭାରତର ବ୍ୟାଟରମାନେ ନିରାଶ କରିଥିଲେ । ସେଟ ବ୍ୟାଟର ରବିନ୍ଦ୍ର ଜାଡେଜା ଶୀଘ୍ର ଆଉଟ କରିଥିଲେ ଟିମ୍ ସାଉଦି । ପ୍ରଥମ ସେସନରେ ହିଁ ସାଉଦି ୪ଟି ନେଇ ଭାରତୀୟ ଦଳକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ । ଏହାପରେ ରବିଚନ୍ଦ୍ରନ ଅଶ୍ବିନ କିଛି ସମୟ ପଡ଼ିଆରେ ବିତାଇ ୩୮ ରନ୍ ସଂଗ୍ରହ କରିଥିଲେ । ଏହାପୂର୍ବରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରି ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ଏଜାଜ ପଟେଲ ଓ ଜେମିସନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।