କାନପୁର ଟେଷ୍ଟ ଡ୍ର, ନ୍ୟୁଜିଲାଣ୍ଡକୁ ସାଥ୍ ଦେଲା ଖରାପ ଆଲୋକ
କାନପୁର : କାନପୁର ଗ୍ରୀନ୍ ପାର୍କରେ ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଡ୍ର ହୋଇଯାଇଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ସାଥ୍ ଦେଇଛି ଖରାପ ଆଲୋକ । ଯାହା ଫଳରେ ବିଜୟ ଆଡକୁ ଅଗ୍ରସର ହେଉଥିବା ଟିମ ଇଣ୍ଡିଆ ଶେଷର ଡ୍ରରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଆତ୍ମସମର୍ପଣ କରିଥିଲା କିଓ୍ବି ଟିମ । ଅଶ୍ବିନ୍-ଜାଡେଜା ସ୍ବିନ୍ ଯୋଡି ନ୍ୟୁଜିଲାଣ୍ଡର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛନ୍ତି । ପ୍ରଥମ ଇନିଂସ ଭଳି ଦ୍ବିତୀୟ ଇନିଂସରେ ମଧ୍ୟ ସ୍ବିନରମାନେ ଘାତକ ବୋଲିଂ କରିଛନ୍ତି । ଦ୍ବିତୀୟ ଇନିଂସରେ ମୋଟ ୮ଓ୍ବିକେଟ ନେଇଛନ୍ତି ଭାରତୀୟ ସ୍ପିନର । ୨୮୪ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ୧୬୫ ରନ କରିଥିବାବେଳେ ସ୍ବଳ୍ପ ଆଲୋକ ଯୋଗୁଁ ଅମ୍ପାୟାର ଖେଳ ସମାପ୍ତି ଘୋଷଣା କରିଥିଲେ ।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରେୟସ ଆୟର ନିଜର ଡେବ୍ୟୁ ମ୍ୟାଚରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରେୟସ ଆୟରଙ୍କ ଦମଦାର ଶତକ(୧୦୫ରନ), ଶୁଭମାନ ଗିଲଙ୍କ ଅର୍ଦ୍ଧଶତକ (୫୨ରନ), ରବିନ୍ଦ୍ର ଜାଡେଜାଙ୍କ (୫୦ରନ) ବଳରେ ୩୪୫ ରନ କରି ଅଲଆଉଟ ହୋଇଥିଲା ଟିମ ଇଣ୍ଡିଆ । ଏହାର ଜବାବରେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଲିଥମ ୯୫ ଓ ଓ୍ବିଲ ୟଙ୍ଗ୍ ୮୯ ରନ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ଅକ୍ଷର ପଟେଲ ଘାତକ ବୋଲିଂକରି ୫ ଓ୍ବିକେଟ ଏବଂ ଅଶ୍ବିନ ୩ଟି ଓ୍ବିକେଟ ନେଇଥିଲେ । ପ୍ରଥମ ଇନିଂସରେ ୪୯ରନରେ ଆଗୁଆ ରହିଥିଲା ଭାରତ ।
ଭାରତ ନିଜର ୨ୟ ଇନିଂସରେ ୭ ଓ୍ବିକେଟରେ ୨୩୪ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ୨ୟ ଇନିଂସରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ ଆୟର । ସେ ବ୍ୟକ୍ତିଗତ ୬୫ରନର ଇନିଂସ ଖେଳିଥିଲେ । ଯାହା ଫଳରେ ଭାରତର ସ୍କୋର ୨୩୪ରନ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା । ୨ୟ ଇନିଂସରେ ସାଉଦୀ ଏବଂ ଜିମିସନ୍ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୪ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୪ ରନକରି ଗୋଟିଏ ଓ୍ବିକେଟ ହରାଇଥିଲା । ଶେଷ ଦିନରେ ପ୍ରଥମ ସେସନ୍ରେ ଖୁବ ସୁନ୍ଦର ବ୍ୟାଟିଂ କରିଥିଲେ ନ୍ୟୁଜିଲାଣ୍ଡ ଓପନର ଲାଥାମ୍ ଏବଂ ନାଇଟ୍ ଓ୍ବିଲ୍ ସୋମରଭିଲ୍ଲେ । କିନ୍ତୁ ଲଞ୍ଚ ପରେ ଭାରତୀୟ ସ୍ପିନ୍ ବାହିନୀ ଘାତକ ବୋଲିଂ କରିଥିଲେ । କିନ୍ତୁ ଖରାପ ଆଲୋକ ନ୍ୟୁଜିଲାଣ୍ଡକୁ ପରାଜୟରୁ ବଞ୍ଚାଇ ଦେଇଛି । ଦ୍ବିତୀୟ ଇନିଂସରେ ଅଶ୍ବିନ ୩ଟି ଓ୍ବିକେଟ ନେଇଥିବା ବେଳେ ଜାଡେଜା ୪ଟି ଓ୍ବିକେଟ ନେଇଛନ୍ତି । ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ଓ୍ବିକେଟ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି । ପ୍ରଥମ ଇନିଂସରେ ୧୦୫ରନର ଶତକୀୟ ପାଳି ଏବଂ ଦ୍ବିତୀୟ ଇନିଂସରେ ୬୫ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିବାରୁ ଶ୍ରେୟର ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚୀତ କରାଯାଇଛି ।