୧୪କୋଟି ୫୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା କନ୍ଧମାଳ ପୁଲିସ
ବାଲିଗୁଡ଼ା : ଗଞ୍ଜେଇ ଚାଷର ମୂଳପୋଛ କରିବାକୁ କନ୍ଧମାଳ ପୁଲିସ ଅଣ୍ଟା ଭିଡ଼ିଛି । ଏହିକ୍ରମେ ଆଜି ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରିବାରେ ପୁଲିସ ସଫଳ ହୋଇଛି ।
ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ଥାନା ଅଧିନସ୍ଥ ମହାସିଙ୍ଗି ଗ୍ରାମପଞ୍ଚାୟତ ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ବାଡ଼କୁ ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଥିବା ଜଣାପଡ଼ିଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅଞ୍ଚଳରେ ଅପରେସନ ନୀଳ ଜହର ଜାରି ରହିଛି । ବାଲିଗୁଡ଼ା ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୮୨୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୮୨ କୋଟି ଟଙ୍କା ହେବ । ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଅପରେସନ ଜାରି ରହିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।