କମିଲା ଲଘୁଚାପ ପ୍ରଭାବ, ୩ରୁ ପ୍ରବଳ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୫ଦିନ ପାଇଁ ଭାରତ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ମଙ୍ଗଳବାଠାରୁ ବର୍ଷା ପ୍ରକୋପ ଆହୁରି କମିଯିବ । ଲଗାଣ କିମ୍ବା ପ୍ରବଳ ବର୍ଷା ହେବନି । ଅଳ୍ପ କେତେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବା ମଧ୍ୟମ ବର୍ଷା ହୋଇପାରେ । ୨/୩ ଦିନ ଏଭଳି ପାଗ ରହିବ । ଫଳରେ ଆସନ୍ତା ସେପ୍ଟେମ୍ବର ୩ପର୍ଯ୍ୟନ୍ତ ରାଜ୍ୟରେ ସ୍ପଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩ରୁ ୪ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତ ପାଣିପାଗ ବିଭାଗ। ଆଗାମୀ ୨୪ଘଣ୍ଟାରେ ଭୁବନେଶ୍ବରରେ ସାଧାରଣତଃ ଆକାଶ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୩ ଡିଗ୍ରି ସେଣ୍ଟିଗ୍ରେଡ ଏବଂ ୨୫ଡିଗ୍ରି ସେଣ୍ଟିଗ୍ରେଡ ରହିବ ବୋଲି ଆକଳନ କରାଯାଇଛି।
ସୂଚନା ଯେ, ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଜୁନ୍ ୧ରୁ ଆଜି ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୯% କମ୍ ବର୍ଷା ହୋଇଛି । କଟକ, ଖୋର୍ଦ୍ଧା, ଜଗତସିଂହପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବାଦ ଦେଲେ ବାକି ୨୫ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଏଇ ୭ ଦିନ ଭିତରେ (୨୪ ଅଗଷ୍ଟ-୩୦ ଅଗଷ୍ଟ) ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ବଢ଼ିଛି । ତଥାପି ଏଇ ସପ୍ତାହରେ ୧୧% କମ୍ ବର୍ଷା ରହିଛି ।