ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା
ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ଯିବ ବୋଲି ଜଣାଯାଇଛି । ଏହାଦ୍ୱାରା ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଳିଆ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି ।
ସୂଚନା ଯେ, କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧିକୁ ଆଉ ତିନି ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ୨୦୨୨ ମସିହା ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ । ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କ ଆକାଉଂଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ନିଷ୍ପତି ନିଆଯାଇଥିଲା ।