୩୪ଲକ୍ଷ ଚାଷୀଙ୍କ ଆକାଉଂଟକୁ ଗଲା କାଳିଆ ଟଙ୍କା
ଭୁବନେଶ୍ୱର : ଓଡିଶା ଦିବସରେ କାଳିଆ ଯୋଜନାରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ଘୋଷଣା କରିଛନ୍ତି । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲା ର ଚାଷୀ ଙ୍କୁ ବର୍ତମାନ କାଳିଆ ସହାୟତା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀର ତ୍ୟାଗ ଓ ସ୍ୱାଭିମାନ ହିଁ ଆଜି ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଚାଷୀକୁ ଶୂନ ପ୍ରତିଶତ ସୁଧରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଚାଷୀଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ । ଚାଷୀ ଆମ ଅର୍ଥନୀତିର ମହାଶକ୍ତି । କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି । ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ।
ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ । ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି । ଏମଏସ୍ ସ୍ୱାମୀନାଥନ୍ କମିଟି ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ ।ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ୱ ନିଷ୍ଠାର ସହ କରିଚାଲିଛି । ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ । ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।