କାବୁଲରେ ସିରିଜ ବିସ୍ଫୋରଣ : ୯୦ ମୃତ, ୧୫୦ ଗୁରୁତର
- ୧୨ ଆମେରିକା ସୈନ୍ୟ ମୃତ, ଶତାଧିକ ଗୁରୁତର
କାବୁଲ : ଆଫଗାନିସ୍ତାର ରାଜଧାନୀ କାବୁଲରେ ସିରିଜ ବିସ୍ଫୋରଣ । ପ୍ରଥମେ ବିମାନ ବନ୍ଦର ଗେଟ୍ ଓ ପରେ ହୋଟେଲ ନିକଟରେ ବିସ୍ଫୋରଣ । ଆତ୍ମଘାତୀ ବିସ୍ଫୋରଣ ସନ୍ଦେହ ୯୦ ମୃତ ୧୫୦ରୁ ଅଧିକ ଗୁରୁତର ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୨ ଆମେରିକୀୟ ସେନା ରହିଥିବା ବେଳେ ଏହି ଘଟଣାରେ ଆଇଏସଆଇଏସର ହାତ ଥିବା ନେଇ ସନ୍ଦେହ କରାଯାଉଛି ।
ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କୁ କାବୁଲସ୍ଥିତ ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୨ ଆମେରିକୀୟ ସୈନ୍ୟ ଅଛନ୍ତି। ସେହିପରି ଶତାଧିକ ଆହତଙ୍କ ମଧ୍ୟରେ ଆମେରିକା ଓ ଏହାର ମିତ୍ରସେନା ସୈନ୍ୟ ଥିବା ମାର୍କିନ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିସ୍ଫୋରଣ ପାଇଁ ଆଇଏସ୍ଆଇଏସ୍ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି। ଅପରପକ୍ଷେ ତାଲିବାନ ଆତଙ୍କବାଦୀମାନେ ଦେଶର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାରଜାଇ ଓ ବରିଷ୍ଠ ରାଜନୀତିଜ୍ଞ ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କୁ ନଜରବନ୍ଦୀ ରଖିଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜରୁରୀ ବୈଠକ ଡାକିଛନ୍ତି। ଏହି ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତାହତ ସଂକ୍ରାନ୍ତରେ କିଛି ଜଣାପଡ଼ି ନାହିଁ। ପରିସ୍ଥିତି ଉପରେ ଭାରତ ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନା ଯେ, ବିମାନବନ୍ଦରର ଆବେ ଗେଟ୍ (ଫାଟକ) ନିକଟରେ ଦୁଇଟି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଆବେ ଗେଟ୍ରେ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଏହା ଠାରୁ କିଛି ଦୂର ବରୁଣ ହୋଟେଲରେ ହୋଇଛି। ଜଣେ ଆତଙ୍କବାଦୀ ବନ୍ଧୁକରୁ ଗୁଳି ବର୍ଷଣ କରି ଆବେ ଗେଟ୍ ଆଡ଼କୁ ଆସୁଥିଲା। ସେଠାରେ ପହଞ୍ଚିବା ପରେ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଏହି ଗେଟ୍ ନିକଟରେ ବ୍ରିଟେନ ଓ ଅଷ୍ଟ୍ରେଲିଆର ସୈନ୍ୟ ନିୟୋଜିତ ଥିଲେ। ପଶ୍ଚିମୀ ଦେଶମାନେ ଆଫଗାନିସ୍ତାନର ଶରଣାର୍ଥୀଙ୍କୁ ନିଜ ଦେଶକୁ ବିମାନଯୋଗେ ନେଇ ଯାଉଥିବାରୁ ଆତଙ୍କବାଦୀମାନେ ଏପରି ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଏହି ବିସ୍ଫୋରଣ ମାଧ୍ୟମରେ ଅଧିକ ସଂଖ୍ୟାରେ ବିଦେଶୀ ସୈନ୍ୟଙ୍କୁ ହତ୍ୟା କରିବା ସହ ଆମେରିକା ଓ ବ୍ରିଟେନ ପରି ଶକ୍ତିଶଳୀ ରାଷ୍ଟ୍ରକୁ ଚେତାବନୀ ଦେବା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ୧୦୦ ଆଫଗାନ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଇଟାଲୀର ଏକ ବିମାନ ଉପରକୁ ତାଲିବାନ୍ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ। ତେବେ ବିମାନର କିଛି ହୋଇ ନଥିଲା। ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ବିଭିନ୍ନ ରାଷ୍ଟ୍ର ନିଜର ନାଗରିକଙ୍କୁ ଏଠାରୁ ନେବା ପାଇଁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିବାବେଳେ ଏପରି ବିସ୍ଫୋରଣ ଘଟିଛି। ବିଦେଶ ନାଗରିକଙ୍କ ସହିତ ଦେଶ ଛାଡିବାକୁ ଇଚ୍ଛୁକ ଆଫଗାନ ନାଗରିକ ବିମାନବନ୍ଦରରେ ଭିଡ ଜମାଇଛନ୍ତି। ଲୋକଙ୍କ ଏପରି ଭିଡ ସମୟରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ବିମାନବନ୍ଦରରେ ବିଦେଶୀଙ୍କ ମଧ୍ୟରେ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆର ନାଗରିକଙ୍କ ସଂଖ୍ୟା ଅଧିକ ଥିଲା। ଏହି ବିସ୍ଫୋରଣ ପରେ ଆମେରିକା ଓ ଅନ୍ୟ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ବିମାନବନ୍ଦର ପରିସର ଛାଡି ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ପୂର୍ବରୁ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରର ନାଗରିକଙ୍କ ଉପରେ ଆକ୍ରମଣ ନିମନ୍ତେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ଯୋଜନା କରୁଥିବା କୁହାଯାଇଥିଲା। ଆଫଗାନିସ୍ତାନରୁ ବିଦେଶୀ ନାଗରିକଙ୍କ ଉଦ୍ଧାର ନିମନ୍ତେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଏବେ ବିମାନ ବନ୍ଦର ଭିତରେ ଆମେରିକା ନେତୃାଧୀନ ମିତ୍ରସେନା ନିୟୋଜିତ ଅଛନ୍ତି। ସେହିପରି ନାଗରିକମାନଙ୍କୁ ଦେଶ ନ ଛାଡ଼ିବାକୁ ଧମକ ଦେଇ ତାଲିବାନ ଆତଙ୍କବାଦୀମାନେ ବିମାନବନ୍ଦର ସମସ୍ତ ରାସ୍ତାକୁ ଜଗିଛନ୍ତି।
କାବୁଲରେ ଦେଖାଯାଇଥିବା ଏହି ପରିସ୍ଥିତି ସମ୍ପର୍କରେ ବାଇଡେନ ହ୍ବାଇଟ ହାଉସ୍ ନିୟନ୍ତ୍ରଣ କକ୍ଷରେ ଅନୁଧ୍ୟାନ କରୁଛନ୍ତି। ବାଇଡେନଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ଉପସ୍ଥିତ ରହିଛନ୍ତି। ପେଣ୍ଟାଗନର ମୁଖପାତ୍ର ଜନ୍ କିରବାଏ କହିଛନ୍ତି, ବିମାନବନ୍ଦର ବାହାରେ ବିସ୍ଫୋରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏହି ଘଟଣା ପରେ ସତର୍କତା ଅବଲମ୍ବନ ଲାଗି ନିଜ ଦେଶର ନାଗରିକଙ୍କୁ କହିଛନ୍ତି। ସେ କହିଛନ୍ତି ଆଫଗାନିସ୍ତାନର ପରିସ୍ଥିତି ଅଧିକ ଜଟିଳ ହେବାକୁ ଯାଉଛି ତେଣୁ ଆମକୁ ଓ ଆମ ସହଯୋଗୀଙ୍କୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଆଗକୁ ଆହୁରି ଆକ୍ରମଣ ଆଶଙ୍କାରେ କାବୁଲରେ ଥିବା ଆମେରିକା ଓ ଫ୍ରାନ୍ସର ରାଷ୍ଟ୍ରଦୂତ ଖୁବ୍ ଶୀଘ୍ର ଆଫଗାନିସ୍ତାନ ଛାଡ଼ିବେ ବୋଲି ଜଣାପଡ଼ିଛି।