କେଏ କ୍ରିକେଟ ଚମ୍ପିୟାନ ଟ୍ରଫି; ସେମିରେ ୟଙ୍ଗ ଷ୍ଟାର କ୍ଲବ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ୟଙ୍ଗ ଷ୍ଟାର କ୍ଲବ ଆନୁକୂଲ୍ୟରେ ଆୟୋଜିତ କମଲ ଅଗ୍ରୱାଲ (କେଏ) କ୍ରିକେଟ ଚମ୍ପିୟାନ ଟ୍ରଫି ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ମ୍ୟାଚରେ ସୋର ଆରଏନ ସ୍ପୋର୍ଟିଂ କ୍ଲବକୁ ବାହାବଳପୁର ୟଙ୍ଗ ଷ୍ଟାର କ୍ଲବ ୧୪୮ ରନ ରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛି । ୟଙ୍ଗ ଷ୍ଟାର କ୍ଲବ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଦାରିତ ୨୦ ଓଭରରେ ୪ଉଇକେଟ ବିନିମୟରେ ଦଳ ୨୮୫ ରନ ସଂଗ୍ରହ କରିଥିଲା । ବ୍ୟାଟ୍ସ ମ୍ୟାନ ନରୋତ୍ତମ ଭଞ୍ଜ ସର୍ବାଧିକ ୧୧୪ରନ କରି ମ୍ୟାନ ଅଫ ଦା ମ୍ୟାଚ୍ ବିବେଚିତ ହୋଇଥିଲେ । ଜବାବରେ ଆରଏନ ସ୍ପୋର୍ଟିଂ ୧୮.୧ଓଭରରେ ୧୩୭ ରନରେ ଅଲ ଆଉଟ ହୋଇଯାଇଥିଲେ । ୟଙ୍ଗ ଷ୍ଟାର ବୋଲର ପ୍ରଶାନ୍ତ ଗୋଙ୍ଗେଇ ହ୍ୟାଟ୍ରିକ ସହ ୫ଟି ଉଇକେଟ ନେଇଥିଲେ ।
କ୍ଲବ ସଭାପତି ମୁକ୍ତିକାନ୍ତ ବେରାଙ୍କ ପୌରାହିତ୍ୟରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ବିଶିଷ୍ଟ ବ୍ୟବସାୟୀ ମନୀଷ ଅଗ୍ରୱାଲ ଏବଂ ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ବ୍ଲକ ଚେୟାରମ୍ୟାନ ସୁନିତା ବେହେରା, ମତ୍ସ୍ୟଜୀବୀ ସଂଘ ସଭାପତି ବିକାଶ ଦାସ, ସମ୍ପାଦକ ଗୋରାଚାନ୍ଦ ଜେନା, ସରପଞ୍ଚ ପ୍ରବୀର କୁମାର ସାହୁ ଓ ରାମ ନାରାୟଣ ଦିବେଦୀ, ପୂର୍ବତନ ସରପଞ୍ଚ, ଗୟାପ୍ରସାଦ ଦାସ, ସମାଜସେବୀ ବିଜୟାନନ୍ଦ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ । ଆମ୍ପାୟାର ଦିଲ୍ଲୀପ ବେରା ଓ ସଞ୍ଜୟ ବେରା ମ୍ୟାଚ ପରିଚାଳନା କରିଥିଲେ । ସଞ୍ଜୟ ମଣ୍ଡଳ ଓ ସୁବଳ ଜେନା ସ୍କୋରିଙ୍ଗ ଦାୟିତ୍ୱରେ ଥିଲେ । ପ୍ରେମଚାନ୍ଦ ପରିଡା ଓ ନୁମାନ ଅଲ୍ଲୀ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଲବ ସମ୍ପାଦକ ମୁକ୍ତିକାନ୍ତ ବେରା, କ୍ରୀଡ଼ା ସମ୍ପାଦକ ବିବେକ ଦାସଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।