ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର
ଭୁବନେଶ୍ୱର : ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ନୂଆ ମୁଖ୍ୟ ବିଚାରପତି । ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରାଇବେ ଶପଥପାଠ । ଉତ୍ସବରେ ଯୋଗଦେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ।
ଜଷ୍ଟିସ ତାଳପତ୍ର ଏବେ ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ ଅନୁସାରେ ଜଷ୍ଟିସ ଶୁଭାଶିଷ ତାଳପତ୍ରକୁଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି। ଏନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପୂର୍ବରୁ ପ୍ରକାଶ ପାଇଛି। ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଥିଲେ । ୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି ।
ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି ।ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରା ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟକୁ ବଦଳି ହୋଇ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ । ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ୨୦୨୨ ଜୁନ ୧୦ ତାରିଖରୁ ସେ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି । ଗତକାଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅବସର ନେଇଥିବା ବେଳେ ଆଜି ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।