ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା
ନୂଆଦିଲ୍ଲୀ: ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳର ଅଙ୍କକଷା ଆରମ୍ଭ ହୋଇଯାଇଛି । ଦଳୀୟ କର୍ମୀଙ୍କ ସହିତ ଘନ ଘନ ବୈଠକ କରୁଛନ୍ତି ରାଜନୈତିକ ଦଳ । ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗସ୍ତରେ ଗୋରଖପୁର ଓ କାନପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ନଡ୍ଡା । ଆଜି(ସୋମବାର) ଅପରାହ୍ନ ୧୨ଟା ୧୫ରେ ଗୋରଖପୁର ମନ୍ଦିର ଦର୍ଶନ କରିବେ ନଡ୍ଡା । ଏହା ପରେ ଅପରାହ୍ନ ୩ଟାରେ ଚମ୍ପା ଦେବୀ ପାର୍କରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହାପରେ ଭନ୍ତାନଗିୟା ସମ୍ପ୍ରଦାୟ ପରିବାରଙ୍କ ସହିତ ଆଲୋଚନା କରିବେ । ନଭେମ୍ବର ୨୩ରେ କାନପୁର ଗସ୍ତ କରିବେ ନଡ୍ଡା । ସେଠାରେ ବାବା ନାମଦେବ ଗୁରୁଦ୍ବାର ଦର୍ଶନ କରିବେ । ସେଠାରେ ଏକ ଦଳୀୟ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିବେ । ଏହା ସହିତ ୭ ଜିଲ୍ଲା କାର୍ଯ୍ୟଳୟ ମଧ୍ୟ ଉଦଘାଟିତ ହେବ । ଏହାପରେ ଅପରାହ୍ନ ୨ଟାରେ କାନପୁରର ରେଲୱେ ଗ୍ରାଉଣ୍ଡରେ ଆୟୋଜିତ ସଭାପତି ସମ୍ମିଳନୀକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ମନ୍ତ୍ରୀମାନଙ୍କୁ ନିର୍ବାଚନ ଦାୟିତ୍ବ ବାଣ୍ଟି ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁରଙ୍କୁ ଇଲେକ୍ସନ ଇନଚାର୍ଜ ଓ ଅନ୍ୟ ଚାରି ସଦସ୍ୟଙ୍କୁ ଇଲେକ୍ସନ କୋ ଇନଚାର୍ଜ ଭାବରେ ଦାୟିତ୍ବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ କାର୍ଯ୍ୟକୁ ସମୀକ୍ଷା କରୁଛନ୍ତି । ଉତ୍ତରପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଯେଉଁଠାକୁ ପ୍ରଧାନମନ୍ତ୍ରୀ ତିନିଥର ଗସ୍ତ କରିଛନ୍ତି । ପୂର୍ବରୁ ଚଳିତ ମାସରେ ୟୁପିର ସୁଲତାନପୁର ଗସ୍ତ କରିଥିଲେ ମୋଦି । ସେଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଶୁଭାରମ୍ଭ କରିଥିଲେ । ଏହାପରେ ଝାନ୍ସି ଗସ୍ତ କରି ୬,୨୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ।