ନକଲି ସାର୍ଟିଫିକେଟ୍ରେ ଚାକିରି ଘଟଣା, ଆଉ ୪ ଗିରଫ
ଜୟପୁର : କୋରାପୁଟ ଡାକ ମଣ୍ଡଳରେ ଗ୍ରାମୀଣ ଡାକ ସେବକ ପଦବୀରେ ନକଲି ସାର୍ଟିଫିକେଟ ଧରା ପଡିବା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜୟପୁର ପୋଲିସ। ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲା ରାଇଘରର ଗୋପାଳ କୃଷ୍ଣ ପଟ୍ଟନାୟକ, କୋରାପୁଟ ଜିଲା ଲକ୍ଷ୍ମୀପୁରର ସାରଥୀ ହାଲୱା, ନବରଙ୍ଗପୁର ଜିଲା କୋଡିଙ୍ଗାର ଦାନୀ ହରିଜନ ଓ ମାଲକାନଗିରି ଜିଲା ପେପରମାଟଲାର କିଶୋର ଖରା।
ସୂଚନା ଯେ, କୋରାପୁଟ ଡାକ ମଣ୍ଡଳର ଗ୍ରାମୀଣ ଡାକ ସେବକ ପାଇଁ ୩୨ ଜଣଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୨୨ ଜଣ ନକଲି ମ୍ୟାଟ୍ରିକ ସାର୍ଟିଫିକେଟ ଦେଇଥିଲେ ବୋଲି ସାର୍ଟିଫିକେଟ ଯାଞ୍ଚ ସମୟରେ ଜଣାପଡ଼ିଛି । ଏନେଇ ବରିଷ୍ଠ ଡାକ ଅଧିକ୍ଷକଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।