ରୋଜଗାର ମେଳା : ଆଜି ୫୧ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ରୋଜଗାର ମେଳାରେ ଦେଶରେ ଜାରି ରହିଛି ନିଯୁକ୍ତି ପର୍ବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରାୟ ୫୧ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟା ହେବ । ଏଥିପାଇଁ ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ମୁତାବକ, ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ରାଜସ୍ବ ବିଭାଗ, ଅର୍ଥନୀତି ସେବା ବିଭାଗ, ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ୍, ପୋଷ୍ଟାଲ୍, ସ୍କୁଲ, ପରମାଣୁ ଉର୍ଜା, ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ଏହା ସହିତ ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯିବ । ସେହିପରି ସ୍ବାସ୍ଥ୍ୟସେବା ଏବଂ ପରିବାର କଲ୍ୟାଣ ବିଭାଗ, ପାନୀୟ ଜଳ ଓ ପ୍ରଶିକ୍ଷଣ ବିଭାଗରେ ମଧ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଗତ ବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ପିଏମ୍ ମୋଦି ନିଯୁକ୍ତିପତ୍ର ବାଣ୍ଟିଥିଲେ ।
ସୂଚନା ଯେ, ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି । ଭାରତ ସରକାର ଓ ସହଯୋଗୀ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ରୋଜଗାରର ଲକ୍ଷାଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ଏପର୍ଯ୍ୟନ୍ତ ୮ଟି ପର୍ଯ୍ୟୟ ବିଭିନ୍ନ ବିଭାଗରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।