ରୋଜଗାର ମେଳା: ଆଜି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ କେଉଁ ବିଭାଗରେ ହେବ ନିଯୁକ୍ତି
ନୂଆଦିଲ୍ଲୀ : ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଭାଗରେ ଚୟନ ହୋଇଥିବା ୭୧ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍ ମୋଦୀ ଏହି ନିଯୁକ୍ତି ପତ୍ର ବଣ୍ଟନ କରିବେ । ସକାଳ ୧୦.୩୦ ସମୟରେ ମୋଦୀ ନିଯୁକ୍ତି ପତ୍ର ବାଣ୍ଟିବା ସହିତ ରୋଜଗାର ମେଳାର ସଫଳତା ବିଷୟରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ।
ଦେଶରେ ବଢୁଥିବା ବେରୋଜଗାରୀ ସଂଖ୍ୟାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିଛିଦିନ ହେବ ନିଯୁକ୍ତିମେଳାର ଆୟୋଜନ କରୁଛନ୍ତି । ଏହାସହ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରତି ପର୍ଯ୍ୟାୟରେ ୭୧ ହଜାର ଲେଖାଏଁ ନିଯୁକ୍ତିପତ୍ର ବାଣ୍ଟୁଛନ୍ତି । ଏହି ନିଯୁକ୍ତି ମେଳାର ତୃତୀୟ ପର୍ଯ୍ୟାୟରେ ଗୁରୁବାର ପ୍ରଧାନମନ୍ତ୍ରୀ ପୁଣି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବାକୁ ଯାଉଛନ୍ତି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରୁ ଚୟନ ହୋଇଥିବା ନୂଆ ନିଯୁକ୍ତି କ୍ରମରେ ଭାରତ ସରକାର ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ଇନସ୍ପେକ୍ଟର,ସବଇନସ୍ପେକ୍ଟର,କନେଷ୍ଟବଳ, ସ୍ଟେନୋଗ୍ରାଫର, ଡାକ ସହାୟକ, ଆୟକର ବିଭାଗର ଇନସ୍ପେକ୍ଟର, ଟ୍ୟାକ୍ସ ସହାୟକ, ବରିଷ୍ଠ ଡ୍ରାଫ୍ଟମ୍ୟାନ, ଜେଇ/ସୁପରଭାଇଜର ଭଳି ପଦପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ଏହା ବ୍ୟତୀତ ନବ ନିଯୁକ୍ତ କର୍ମୀମାନଙ୍କୁ ‘କର୍ମଯୋଗୀ ପ୍ରାରମ୍ଭ’ ଯୋଜନାରେ ନିଜକୁ ନିଜେ କିଭଳି ପ୍ରଶିକ୍ଷିତ କରିପାରିବେ ସେନେଇ ମଧ୍ୟ ସୁଯୋଗ ମିଳିବ । ଏନେଇ ନବ ନିଯୁକ୍ତ କର୍ମୀମାନଙ୍କ ପାଇଁ ଅନ୍ ଲାଇନ ଓରିଏଣ୍ଟସନ କୋର୍ସ ଉପଲବ୍ଧ କରାଯାଇଛି ।
ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ପିଏମ୍ ମୋଦୀ ରୋଜଗାର ମେଳା ଅଭିଯାନ ମାଧ୍ୟମରେ ପାଖାପାଖି ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ସଫଳ ପ୍ରାର୍ଥୀଙ୍କୁ ଚାକିରି ପ୍ରଦାନ କରାଯାଇଥିଲା । ୧ରୁ ୧.୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧୦.୫ ଲକ୍ଷ ଯୁବବର୍ଗଙ୍କୁ ଚାକିରି ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରାର୍ଥୀଙ୍କୁ ଟ୍ରେନ, ମ୍ୟାନେଜର, ଷ୍ଟେସନ ମାଷ୍ଟର, ସବଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟାଣ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ପ୍ରଫେସର, ଟିଚର, ନର୍ସ, ପିଏ ଆଦି ପଦରେ ଚାକିରି ମିଳିବ ।
ସୂଚନା ଯେ, ଗତବର୍ଷ ଅକ୍ଟୋବର ମାସ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ରୋଜଗାର ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରେ ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଥିଲା ।