ଆଜି ଝାରସୁଗୁଡ଼ା ଉପ-ନିର୍ବାଚନ : ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୨୧ହଜାର ୭୧୯ ଭୋଟର
ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟଗ୍ରହଣ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ ଯାଏ ଚାଲିବ ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ବୁଥ, ପୁଲିଂ ଅଫିସର ସବୁ ପ୍ରସ୍ତୁତ କରାଯାଇଛି।
୨୫୩ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର । ପୁରୁଷଙ୍କ ଠାରୁ ଅଧିକ ମହିଳା ଦେବେ ଭୋଟ । ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୩୭। ମୋଟ୍ ୨୫୩ ବୁଥରୁ ୨୬ଟି ପିଙ୍କ୍ ବୁଥ୍ ଏବଂ ୪୦ ଟି ମଡେଲ୍ ବୁଥ୍ ରହିଛି। ୧୪୪ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୧୧୯ଟି ବୁଥ୍ କୁ ଜଗିବ ଡ୍ରୋନ୍ କ୍ୟାମେରା । ୬୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି। ଶାନ୍ତିଶୃଖଂଳାର ସହ ନିର୍ବାଚନ ପରିଚାଳନା ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ , ୧୬ ପ୍ଲାଟୁନ ଆର୍ମଡ ଫୋର୍ସ ସହ ୩୦୦ କନେଷ୍ଟବଳ ଏବଂ ହାବିଲଦାର, ୭ ଡ଼ିଏସପିଙ୍କ ସହ ୧୫୫ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଥ୍ ଗୁଡିକରେ ପ୍ରତିକ୍ଷାଳୟ ସହ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି। ୪୪ ଜଣ ଶତାୟୁ ଭୋଟର ଭୋଟ ଦେବେ। ନୂଆ ଏବଂ ଶତାୟୁ ଭୋଟରଙ୍କୁ ସ୍ବାଗତ ପାଇଁ ବ୍ୟବସ୍ଥା ହୋଇଛି । ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି।
ବୁଥ୍ କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ ମଧ୍ୟ ପ୍ରଦାନ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଲିଂ ବୁଥ ପରିସରରେ ସେଲ୍ ଫି ପଏଣ୍ଟ ମଧ୍ୟ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର୍ , ୧୦୮ ରିଜର୍ଭ ପୋଲିଂ ଅଫିସର୍ , ୧୦୪ ଜଣ ମହିଳା ପୋଲିଂ ଅଫିସର୍ ଓ ୭୪ ଜଣ ମାଇକ୍ରୋ ଅବଜରଭର୍ ରହିଛନ୍ତି। ସମସ୍ତ ୨୫୩ଟି ବୁଥରେ ୱେବକାଷ୍ଟିଂ ହେବ। ବୁଥରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଲାଇଭ୍ ଫିଡ୍ ଏସ୍ ପି ଓ ଡିଇଓଙ୍କ କାର୍ଯ୍ୟାଳୟରେ ନିରୀକ୍ଷଣରେ ରହିବ।
ପୋଲିଂ ବୁଥଗୁଡ଼ିକୁ ପୁଲିସ୍ ଛାଉଣିରେ ରଖାଯାଇଥିବା ବେଳେ ଭୋଟିଂ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ତାକୁ ମୁକାବିଲା ପାଇଁ ପୁଲିସ୍ ପକ୍ଷରୁ ୨୫ଟି ମୋବାଇଲ୍ ଟିମ୍ ନିୟୋଜିତ କରାଯାଇଛି। ଝାରସୁଗୁଡ଼ାର ସବୁ ବୁଥରେ ହେବ ଓ୍ବେବ କାଷ୍ଟିଂ ।