୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା
- ଘଟଣାରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତ ଗିରଫ
ଯାଜପୁର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧) ହତ୍ୟା ମାମଲାରେ ଗୁରୁବାର ଯାଜପୁର ପୋଲିସ ଘଟଣାର ତୃତ୍ୱୀୟ ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରିଛି । ପୁର୍ବରୁ ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା ବେଳେ କିଛି ଦିନ ପୂର୍ବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା । ଘଟଣାର ସମସ୍ତ ଅଭିଯୁକ୍ତ ଗିରଫ ହେବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି । ଟଙ୍କା ପାଇଁ ଝରାଫୁଲଙ୍କୁ ପୁରୁଷ ବନ୍ଧୁ ରାକେଶ ହତ୍ୟା କରିଥିଲା । ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି ।
ସୂଚନା ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍ ଖୋଜିବା ପରେ ତାଙ୍କ ମୋବାଇଲ୍ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ଵିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ଶବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜିଯାଏଁ ଫେରାର ରହିଥିବା ବେଳେ ଗୁରୁବାର ତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଧରାପଡିବା ପରେ ଝରାଫୁଲ ହତ୍ୟା ଘଟଣା ଉପରୁ ପରଦା ଉଠିଛି ।