ରେକର୍ଡ ସ୍ତରରେ ଜେଟ୍ ଫ୍ୟୁଲଦର, ମହଙ୍ଗା ହେବ ବିମାନ ଯାତ୍ରା
ନୂଆଦିଲ୍ଲୀ: ବିମାନ ଇନ୍ଧନ ମୂଲ୍ୟରେ ବୁଧବାର ୫.୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଦେଶରେ ଜେଟ୍ ଫ୍ୟୁଲ ଦର ତାର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଯାଇଛି। ଏଥରକୁ ମିସାଇ ୨ ମାସରେ ବିମାନ ଇନ୍ଧନ ଦର ୪ ଥର ବଢ଼ିଥିବା ବେଳେ ଏଥର ରେକର୍ଡ ସ୍ତରକୁ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏବେ ବିମାନ ଇନ୍ଧନ ଉପରେ ପଡିଛି । ସରକାରୀ କ୍ଷେତ୍ରର ତୈଳ କମ୍ପାନୀଙ୍କ ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଏଭିଏସନ ଟର୍ବାଇନ ଫ୍ୟୁଲ (ଏଟିଏଫ) ପ୍ରତି କିଲୋଲିଟର ୪ହଜାର ୪୮୧ଟଙ୍କା ୬୩ ପଇସା ବୃଦ୍ଧି ସହ ୯୦ ହଜାର ୫୧୯ଟଙ୍କା ୭୯ ପଇସାକୁ ପହଞ୍ଚିଛି । ଅଗଷ୍ଟ ୨୦୦୮ରେ ପ୍ରତି କିଲୋଲିଟର ଏଟିଏଫ ଦର ୭୧ହଜାର ୨୮ ଟଙ୍କା ୨୬ ପଇସା ଥିଲା । ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ମୂଲ୍ୟ ୧୪୭ ଡଲାରରେ କାରବାର ହେଉଥିଲା ।
ଏବେ ଅଶୋଧିତ ତୈଳ ବାରଲପିଛା ଦର ୨୦୦୮ ତୁଳନାରେ ବହୁତ କମ ଥାଇ ମଧ୍ୟ ଏଟିଏଫ କିଲୋଲିଟର ପିଛା ଦର ୯୦ ହଜାର ୫୧୯ଟଙ୍କା ୭୯ ପଇସାକୁ ଛୁଇଁବା ଏହାର ସର୍ବକାଳୀନ ଉଚ୍ଚତମ ଦର ବୋଲି କୁହାଯାଉଛି । ତେବେ ଦେଶରେ ଗତ ୧୦୫ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦେଶରେ ଶେଷଥର ୪ନଭେମ୍ବର ୨୦୨୧ରେ ତୈଳ କମ୍ପାନୀମାନେ ଇନ୍ଧନର ଦର ସଂଶୋଧନ କରିଥିଲେ। ତା ପରଠାରୁ ଏପର୍ୟ୍ୟନ୍ତ ଦେଶରେ ଇନ୍ଧନ ଦର ସ୍ଥିର ରହିଛି। ୧୬ ଫେବୃଆରୀ ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ୯୩.୧୮ ଡଲାର ଦରରେ କାରବାର ହେଉଛି ।